ଭୁବନେଶ୍ୱର,୧୯/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସୋମବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରସ୍ତାବ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୯୨ ଅନୁଯାୟୀ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଛି ।
କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସ୍ନାତକ ଓ ସ୍ନାତକୋତର ସୃଷ୍ଟି କରିବା ଏବଂ ଏହି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଓ ଲାଭଦାୟକ କୃଷି ପ୍ରଣାଳୀ ବିକଶିତ କରିବାରେ ସହାୟକ ହେବ । ଏହି ପ୍ରସ୍ତାବିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ଏକ ପରିବର୍ତନକାରୀ ହେବ – କୃଷି ଗବେଷଣାକୁ ଆଗକୁ ବଢାଇବ, ଚାଷୀମାନଙ୍କୁ ସଶକ୍ତ କରିବ ଏବଂ ସ୍ଥାୟୀ କୃଷି ପଦ୍ଧତିରେ ନବସୃଜନକୁ ପ୍ରୋତ୍ସାହିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । କୃଷି ଓ ଆନୁଷଙ୍ଗିକ ବୃତିକୁ ଲାଭଜନକ ଉଦ୍ୟୋଗରେ ପରିଣତ କରି ଲୋକଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ନିଷ୍ପତିି ଲାଭଦାୟକ ସାବ୍ୟସ୍ତ ହେବ ।
ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଡ. ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଉପସ୍ଥାପନ କରିଥିଲେ।
