ଜିଲ୍ଲାର ମୋଟ ୧,୧୯,୫୪୨ ଚାଷୀ ହେଲେ ଲାଭାନ୍ବିତ
ଜଗତସିଂହପୁର,୧୩/୦୩/୨୦୨୬ (ଓଡ଼ିଶା ସମାଚାର)- ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ରାଜ୍ୟର ଗୌହାଟୀ ଠାରେ ଆୟୋଜିତ ପିଏମ କିସାନ ସମ୍ମାନନିଧିର ୨୨ ତମ କିସ୍ତି ପ୍ରଦାନ ସମାରୋହରେ ଦେଶର ଚାଷୀଙ୍କୁ ୬୮୪ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।

ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ଗୌହାଟୀ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ଦେଖିଥିଲେ । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ମୋଟ ୧,୧୯,୫୪୨ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପି-ଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନି ଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୁଳମଣୀ ବାରିକ,କେ.ଭି.କେ ବୈଜ୍ଞାନିକ,କୃଷି ଜିଲ୍ଲା ଅଧିକାରୀ,ଜଗତସିଂହପୁର,ତିର୍ତ୍ତୋଲ ବ୍ଲକ୍ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
