ବ୍ୟାଡ଼ମିଂଟନ୍ ରେ ଏସଏସୟୁ କୁ ଦ୍ୱୈତ ସଫଳତା – ଅରିଜିତ, ରିଦ୍ଧିମା ଓ ଶ୍ରେୟାଙ୍କୁ ସ୍ୱର୍ଣ୍ଣ

କଟକ, ୧୯/୦୮/୨୦୨୫(ଓଡ଼ିଶା ସମାଚାର)- ସ୍ଥାନୀୟ ନରାଜ ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ବ୍ୟାଡମିଂଟନ୍ କ୍ରୀଡ଼ାରେ ନିଜର ଅଭୂତପୂର୍ବ କ୍ରୀଡ଼ା ଦକ୍ଷତା ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କଟକ ଜିଲା ବ୍ୟାଡମିଂଟନ୍ ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଖ୍ରୀଷ୍ଟ ମହାବିଦ୍ୟାଳୟ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମରେ ହୋଇଥିବା ଆନ୍ତଃ ମହାବିଦ୍ୟାଳୟ ବ୍ୟାଡମିଂଟନ୍ ଚାମ୍ପିୟନଶିପ୍ ୨୦୨୫ରେ, ବିଶ୍ୱବିଦ୍ୟାଳୟର ପୁରୁଷ ଓ ମହିଳା ଦଳ ସ୍ୱର୍ଣ୍ଣଦକ ଜିତିଛନ୍ତି ।

ବିଶ୍ୱବିଦ୍ୟାଳୟର ପ୍ରତିଭାବାନ୍ ଖେଳାଳି ଶ୍ରୀଅରିଜିତ ସାହୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ଓମକାର୍ ପଟେଲଙ୍କ ସହ ମିଶି ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି । ଖାଲି ସେତିକି ନୁହେଁ, ମହିଳା ଡବଲ୍ସରେ ମଧ୍ୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ମିସ୍ ରିଦ୍ଧିମା ବନୱାଲେ ଓମିସ୍ ଶ୍ରେୟା ପଟେଲ ସ୍ୱର୍ଣ୍ଣପଦକ ଜିତି ବିଶ୍ୱବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି ।

ଏହି ବିଜୟ ସହ ବିଶ୍ୱବିଦ୍ୟାଳୟର ତିନି ଜଣ ଖେଳାଳି ବର୍ତମାନ ରାଜ୍ୟସ୍ତରୀୟ ବ୍ୟାଡମିଂଟନ୍ ଚାମ୍ପିୟନଶିପ୍ ରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ୱବିଦ୍ୟାଳୟ ସଭାପତି ପ୍ରଫେସର ରଜିତା କୁଳକର୍ଣ୍ଣୀ, କୁଳପତି ପ୍ରଫେସର ତେଜପ୍ରତାପ, କାର୍ମିକ ନିର୍ଦ୍ଧେଶକ ସ୍ୱାମୀ ସତ୍ୟଚୈତନ୍ୟ, କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରଫେସର ଅନିଲ ଶର୍ମା, ଛାତ୍ରକଲ୍ୟାଣ ବିଭାଗର ଡିନ୍ ପ୍ରଫେସର ଜୟପ୍ରକାଶ ଭଟ୍ଟ, ଡେପୁଟି ଡାଇରେକ୍ଟର (ଆଡମିଶନ୍)ଡ. ମଳୟ ମଲ୍ଲ ଏବଂ ଡେପୁଟି ଡାଇରେକ୍ଟର (ମାନବ ସମ୍ବଳ) ଜ୍ୟୋତିରଞ୍ଜନ ଗଡ଼ନାୟକ ପ୍ରମୁଖ ବିଜୟୀ ଖେଳାଳିଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ।

ଏଥିସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏହି ସଫଳତା ବଜାୟ ରଖିବ ବୋଲି ଆଶା ପ୍ରକଟ କରିଛନ୍ତି । ଏହି ସଫଳତା ପ୍ରମାଣିତ କରିଛି ଯେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ାଜଗତରେ ନିଜର ଏକ ଶକ୍ତିଶାଳୀ ପରିଚୟ ସୃଷ୍ଟି କରିପାରିଛି ।

Leave a Reply

Your email address will not be published. Required fields are marked *