ଜେ.ଏନ୍. ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ

ମାହାଙ୍ଗା, ୧୭/୦୮/୨୦୨୫(ଓଡ଼ିଶା ସମାଚାର)- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ ମହାସମାରୋହ ରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଆଗାମୀ ଦୁଇ ବର୍ଷ ମଧ୍ୟରେ ୧୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନୂତନ ଶ୍ରେଣୀଗୃହ, ଲାବୋରେଟୋରୀ, ପାଠାଗାର ଓ ଅଡିଟୋରୀୟମ ଆଦି ବିଶ୍ୱସ୍ତରୀୟ ଭିତିିଭୂମି ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏହା ଆଧୁନିକ ଶିକ୍ଷାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ବୃଦ୍ଧି ପାଇଁ ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଅଧ୍ୟକ୍ଷ ଚିତ ରଞ୍ଜନ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ କଳ୍ପତରୁ ନିଗମ ଆଶ୍ରମ, ଭୁବନେଶ୍ୱରର ଅଧ୍ୟକ୍ଷ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଜୀ ମହାରାଜ ଯୋଗଦେଇ ଯୁବପିଢ଼ିଙ୍କୁ ନିଶା ଓ ଖରାପ ଅଭ୍ୟାସଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ସେ ଶିକ୍ଷା ସହିତ ଆଧ୍ୟାତ୍ମିକ ଜ୍ଞାନ, ସାମାଜିକ ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଏବଂ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବୃଦ୍ଧି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ‘ବନ ବିଥିକା’ର ଲୋକାର୍ପଣ କରାଯାଇଥିଲା ।

୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସୌରଭ ସାମଲ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ୧୦,୦୦୦ ଟଙ୍କାର ସୌରଭ ସାମଲ ମେଧାବୃତି ପ୍ରଦାନ କରାଯାଇଥିଲା । ଏହା ସହିତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ନିରଞ୍ଜନ ସ୍ୱାଇଁ, ଶ୍ରୀ ଗୌରାଙ୍ଗ ଚରଣ ବେହୁରା, ଶ୍ରୀ ଗଙ୍ଗାଧର ବିଶ୍ୱାଳ, ଶ୍ରୀ ଗୌତମ କୁମାର ସ୍ୱାଇଁ, ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ, ଶ୍ରୀ ଭ୍ରମରବର ସ୍ୱାଇଁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ପ୍ରାଧ୍ୟାପକ ଶ୍ରୀନିବାସ ମହାନ୍ତି, ଯୁଧିଷ୍ଠିର ଖଟୁଆ, ବିବେକାନନ୍ଦ ମିଶ୍ର, ନମିତା ଦୀକ୍ଷିତ, ପବିତ୍ର କୁମାର ମହାନ୍ତି ଏବଂ ଅଣଶିକ୍ଷକ କର୍ମଚାରୀ ଶ୍ରୀ ପ୍ରମୋଦ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆନ୍ତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାଧ୍ୟାପକ ଡ. ନିଖିଳେଶ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ପ୍ରାଧ୍ୟାପକ ରବି ନାରାୟଣ ବାରିକ, କୁମୁଦ ରଞ୍ଜନ ସିଂହ, କୃଷ୍ଣଚନ୍ଦ୍ର ବେହେରା, ବସନ୍ତ କୁମାର ସେଠୀ, ଦାଶରଥି ସ୍ୱାଇଁ, ଡ. ଜୟଶ୍ରୀ ରାଉତ, ଡ. ଚିନ୍ମୟୀ ସାହୁ, ବିସିକେଶନ ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରାଧ୍ୟାପକ ରୁଦ୍ର ନାରାୟଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *