କେନ୍ଦ୍ରାପଡ଼ା, ୧୭/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା । ରାତ୍ରଧୂପ ସମ୍ପନ୍ନ ପରେ ରତ୍ନ ସିଂହାସନରୁ ପୂଜାପଣ୍ଡାଙ୍କ ଦ୍ୱାରା ଆଜ୍ଞାମାଳ ଭୋଗ ମଣ୍ଡପକୁ ଅଣାଯାଇ ପୁରାଣ ପଣ୍ଡାଙ୍କୁ ଦିଆଯାଇ ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଜନ୍ମ ଇତି ବୃତି ଉପରେ ପାଠ କରାଯାଇଥିଲା ।
ବାଳ ଗୋପାଳଙ୍କୁ ଭୋଗ ମଣ୍ଡପକୁ ବିଜେ କରାଯାଇଥିଲା । ଜନ୍ମ ନୀତି, ଲାଭିସ୍ପର୍ଶ ସ୍ନାନ, ମଙ୍ଗଳାର୍ପଣ କରାଯିବା ପରେ ମାଖନ କ୍ଷୀର ମିଶ୍ରି ଲଡୁ ଭୋଗ ଅର୍ପଣ କରାଯାଇଥିଲା । ଭୋଗ ସମ୍ପନ୍ନ ପରେ ଆଳତି କରାଯାଇ ଅସ୍ଥାୟୀ ଝୁଲଣ କରାଯାଇ ବିଜେ କରାଯାଇଥିଲା । ପରେ ଗୋପାଳକୁ ଯମୁନା ସ୍ନାନ କରାଯାଇ ରତ୍ନ ସିଂହାସନକୁ ବିଜେ କରା ଯାଇଥିଲା । ଏହି ଦିନରେ ଉପାସନା ଧାରିଙ୍କ ଭିଡ଼ ଲାଗିଥିଲା ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
