ବନ୍ଧୁଗଣ,
ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।
ଆପଣମାନେ ଜାଣନ୍ତି ଯେ, ଆମ ସରକାର ମାତ୍ର ସାତ ମାସ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆମ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନର ବିଭନ୍ନ ଆହ୍ୱାନର ମୁକାବିଲା କରିବା ସହିତ ସାଢେ ଚାରିକୋଟି ଓଡିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରୁଛୁ । ତଦନୁଯାୟୀ, ଆମେ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛୁ । ଭବିଷ୍ୟତର ରୂପରେଖ ମଧ୍ୟରେ ଆମର ଲକ୍ଷ୍ୟ ହେଉଛି, ୨୦୩୬ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ପ୍ରମୁଖ ଗ୍ରୋଥ୍ ଇଂଜିନ୍ ଭାବରେ ଗଢି ତୋଳିବା । ସେହି ଲକ୍ଷ୍ୟ ନେଇ, ଆମେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ କରିବା ସହିତ ଦେଶ ଓ ସାରା ବିଶ୍ୱର ପ୍ରମୁଖ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ନିମନ୍ତ୍ରଣ କରୁଛୁ ।
ସେହି ପରିପ୍ରେକ୍ଷୀରେ ମୁଁ ଆମ ଟିମ୍ ଓଡିଶାର ନେତୃତ୍ୱ ନେଇ ଦିଲ୍ଲୀ ଓ ମୁମ୍ବାଇରେ ରୋଡ୍ ସୋ କରିବା ସହ ସିଙ୍ଗାପୁର ମଧ୍ୟ ଗସ୍ତ କରିଥିଲି । ସିଙ୍ଗାପୁରରେ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂସ୍ଥା ପରିଦର୍ଶନ କରିବା ସହ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲି । ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବା ସହିତ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲି । ମୋ ପାଇଁ ବ୍ୟକ୍ତିଗତ ଭାବରେ, ଏବଂ ଆମ ଓଡିଶା ପାଇଁ ମାନ୍ୟବର ରାଷ୍ଟ୍ରପତି, ସିଙ୍ଗାପୁରଙ୍କ ଏହି ଦୁଇ ଦିନିଆ ଓଡିଶା ଗସ୍ତ ଅତ୍ୟନ୍ତ ସମ୍ମାନର ବିଷୟ । ଏହି ଗସ୍ତର ପ୍ରଭାବ ଅତ୍ୟନ୍ତ ସୁଦୁରପ୍ରସାରୀ ହେବ ।
ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆମ ସରକାର, ସିଙ୍ଗାପୁର ସହିତ ୮ଟି ଗୁରୁତ୍ୱପୂର୍ଣ୍ଣ MoU କରିଛନ୍ତି । ଏହି ୮ଟି MoU ଦ୍ୱାରା ଆମେ ଓଡିଶା ପାଇଁ ୮ଟି Clear-cut Outcome ର ଲକ୍ଷ୍ୟ ରଖିଛୁ । ଏଗୁଡିକ କାର୍ଯ୍ୟକାରୀ ହେବା ପରେ ସମ୍ପୃକ୍ତ କ୍ଷେତ୍ର ଗୁଡିକରେ ଆମ ରାଜ୍ୟ ଓଡିଶା ବିଶ୍ୱର ଅଗ୍ରଣୀ ଦେଶ ମାନଙ୍କ ସହିତ ସମକକ୍ଷ ହୋଇପାରିବ ।
ଇଡ୍କୋ ସହ ସିଙ୍ଗାପୁରର ସେମ୍ବକର୍ପ (Sembcorp) ର MoU ଜରିଆରେ ଓଡିଶାରେ ବିଶ୍ୱ ସ୍ତରୀୟ Multi-Product Industrial Park ପ୍ରତିଷ୍ଠା କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଏହି ପାର୍କ ଗୁଡିକରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯିବା ସହିତ ଏହି ପ୍ରୋଜେକ୍ଟ ଗୁଡିକ ଯେପରି Sustainable ହେବ, ସେଥିପ୍ରତି ମଧ୍ୟ ସଦାସର୍ବଦା ଦୃଷ୍ଟି ଦିଆଯିବ । ଇପିକଲ୍ ସହିତ ମଧ୍ୟ ସେମ୍ବକର୍ପର ଏକ MoU ହୋଇଛି । ଏଥିରେ ପାରାଦୀପରେ ଏକ ଗ୍ରୀନ ସିପିଙ୍ଗ୍ କରିଡର୍ ଓ ଏକ ଗ୍ରୀନ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହା ଦ୍ୱାରା ଭାରତର ଗ୍ରୀନ ଏନର୍ଜି କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରିବ ।
ଇପିକଲ୍ ଓ ସିଙ୍ଗାପୁରର ସୁରବନ୍ ଜୁରଙ୍ଗ୍ ମଧ୍ୟରେ ହୋଇଥିବା MoU ଅନୁଯାୟୀ ପାରାଦୀପ PCPIR ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ । ଏଥିରେ ମୁଖ୍ୟତଃ Sustainability, Renewable Energy ଓ Value Added Manufacturing ଉପରେ ଫୋକସ୍ ରହିବ ।
ବି.ଡି.ଏ ଓ ସୁରବନ୍ ଜୁରଙ୍ଗ୍ ସହିତ ଯେଉଁ MoU ହୋଇଛି, ସେଥିରେ ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଅତ୍ୟାଧୁନିକ ସହରାଞ୍ଚଳ ଯୋଜନା ପ୍ରସ୍ତୁତ କରିବାରେ ସୁରବନ୍ ଜୁରଙ୍ଗ୍ ର ଦକ୍ଷତା ଓ ଅଭିଜ୍ଞତା ଆମକୁ ନିଶ୍ଚୟ ସହାୟକ ହେବ ।
ଆମ ସରକାରଙ୍କ ଶକ୍ତି ବିଭାଗ, Bhubaneswar IIT ଓ ସିଙ୍ଗାପୁର ର ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ମଧ୍ୟରେ ଏକ ତ୍ରି-ପାକ୍ଷିକ MoU କରାଯାଇଛି । ଏହାଦ୍ୱାରା ଭବିଷ୍ୟତରେ ଆମର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଗ୍ରୀନ ହାଇଡ୍ରୋଜେନ୍ ଓ ସୋଲାର୍ ଏନର୍ଜି ପରି ବିଭିନ୍ନ ବିକଳ୍ପ ସମାଧାନର ସୂତ୍ର ବାହାର କରାଯିବ ।
ଓଡିଶା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗ ସହିତ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍ସ ଓ ଟେକ୍ନୋଲୋଜି ନେଟ୍ୱାର୍କ୍ ଏବଂ GFTN ସହିତ ଯେଉଁ MoU ହୋଇଛି, ସେଥିରୁ ଆମେ ଫାଇନାନ୍ସିଆଲ୍ ଟେକ୍ନୋଲୋଜି ଇକୋସିଷ୍ଟମର ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଏହା ଦ୍ୱାରା ଫିନ୍ଟେକ୍ କ୍ଷେତ୍ରରେ ଅଧିକ ନିବେଶ ଆସିବ ଓ ଇନୋଭେସନ୍ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ ।
Skilling କ୍ଷେତ୍ରରେ ଆମେ ଯଥେଷ୍ଟ ଅଗ୍ରଗତି କରିଛୁ । କିନ୍ତୁ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶାରେ ଏକ ବିଶ୍ୱସ୍ତରୀୟ Skilled Workforce ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ ।
ଏଥିପାଇଁ ଦୁଇଟି MoU ହୋଇଛି । ଆମର Skill Development ଓ Technical Education Department, ସିଙ୍ଗାପୁରର ITEES ସହିତ ଗୋଟିଏ MoU କରିଛି । ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ସହିତ IIT Bhubaneswar ଏବଂ ଶକ୍ତି ବିଭାଗ ମଧ୍ୟ ଆଉ ଗୋଟିଏ MoU କରିଛନ୍ତି । ଏହା ଦ୍ୱାରା I.T, I.T.E.S, Semiconductor ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଆମ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ।
ଆଧୁନିକ ସହରାଞ୍ଚଳ ଯୋଜନା ଠାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲ୍ସ, ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ଆପଣମାନେ ଜାଣନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କର ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଫୋକସ୍ ରହିଛି । ମୋଦୀଜୀଙ୍କ ପୂର୍ବଦୋୟ ଯୋଜନାରେ ଓଡିଶାର ବିକାଶକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଡବଲ ଇଂଜିନ୍ ସରକାରରେ ମିଳିତ ସହଯୋଗ ଯୋଗୁ, ଆମର ବିକାଶମୂଖୀ ପଦକ୍ଷେପ ଉପରେ ଏକ Multiplier Effect ପଡିଛି ।
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସବୁ ଦୃଷ୍ଟିରୁ ଏକ ଐତିହାସିକ ଘଟଣା । ବିକାଶର ଭିଜନ୍ କୁ ବାସ୍ତବତାରେ ପରିଣତ କରିବା ଦିଗରେ ଆମ ଓଡିଶା ପାଇଁ ଏହା ଏକ Milestone ସାବ୍ୟସ୍ତ ହୋଇଛି । ଏହା ଦ୍ୱାରା 2036 ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ପୂରଣ ଦିଗରେ ଏକ ସୁଦୃଢ ଭିତ୍ତି ପଡିପାରିଛି।