ସ୍ୱର୍ଗତ ଅନୀଲ ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିସଭା

                                                                ଅନୀଲ ଥିଲେ ସ୍ୱାଭିମାନୀ : ଭକ୍ତ ଦାସ
ଭୁବନେଶ୍ୱର,୧୧/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶାର ଜଣେ ପ୍ରତିଷ୍ଠିତ ଫଟୋ ସାମ୍ବାଦିକତାର ଜନକ ଭାବେ ପରିଚିତ ତଥା ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ଓ ଇପିଏର ପ୍ରତିଷ୍ଠାତା ସ୍ୱର୍ଗତ ଅନୀଲ ପ୍ରସାଦ ମିଶ୍ରଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିସଭା ଆଜି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ପାଳିତ ହୋଇଯାଇଛି । ଏହି ସ୍ମୃତିସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ କହିଲେ ଯେ, ଫଟୋ ମାଧ୍ୟମରେ ଅନେକ ବାର୍ତା ଦେଉଥିଲେ ଅନୀଲ । ତାଙ୍କ ଫଟୋ କଥା କହୁଥିଲା । ସମାଜକୁ ସଚେତନ କରିବା ସହ ଶାସକ ଓ ବିରୋଧୀ ଦଳକୁ ବାଟ ଦେଖାଉଥିଲା । ସେ ଥିଲେ ବଡ଼ ସ୍ୱାଭିମାନୀ । କାହାକୁ କେବେହେଲେ ସହଯୋଗ ମାଗି ନାହାଁନ୍ତି ବୋଲି ଶ୍ରୀଯୁକ୍ତ ଦାସ କହିଥିଲେ ।

ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଲେ ଯେ, ସେ ବିଜୁବାବୁଙ୍କ ନିକଟରେ ଥିଲେ । ତାଙ୍କର ଫଟୋକ ନେଇ ବିଜୁ ଗ୍ୟାଲେରୀ କରିଥିଲେ । ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କର୍ପୋରେଟର ଆସିଆ ବେଗମ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ମହାନ୍ତି ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଇଷ୍ଟର୍ଣ୍ଣ ପ୍ରେସ୍ ର ସାମ୍ବାଦିକ ବନ୍ଧୁ ଏବଂ ବହୁ ମାନଗ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଇପିଏର ସମ୍ପାଦିକା ଅଞ୍ଜଳି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା । ପ୍ରଥମେ ମଂଚାସୀନ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ମାନୀୟ ଅତିଥିମାନେ ସ୍ୱର୍ଗତ ମିଶ୍ରଙ୍କ କାର୍ଯ୍ୟ, ନିଷ୍ଠା ଓ ବଳିଷ୍ଠ ଉଦ୍ୟମର ପ୍ରଶଂସା କରିବା ସହିତ କେଉଁଭଳି ଭାବରେ ଅନେକ ସାମ୍ବାଦିକଙ୍କ ପାଇଁ ପ୍ରେରଣା ସାଜିଛନ୍ତି, ସେ ବାବଦରେ ମତ ରଖିଥିଲେ । ଏହି ଅବସରରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ମଂଚ ଉପରେ ସମ୍ମାନିତ କରାଯାଇଥିଲା ଏବଂ ଇପିଏ ଉଇକ୍ଲି ର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମର ମଂଚ ପରିଚାଳନା ଦାୟିତ୍ୱରେ ଥିଲେ ବରିଷ୍ଠ ସାମ୍ବାଦିକା ସୌମ୍ୟା ତ୍ରିପାଠୀ ।

Leave a Reply

Your email address will not be published. Required fields are marked *