ବାଙ୍ଗଲାଦେଶରେ ନିରୀହ ହିନ୍ଦୁମାନଙ୍କୁ ହତ୍ୟା ନିର୍ମମ ହତ୍ୟା ପ୍ରତିବାଦରେ ବଳଦେବ ସେନାର ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡ଼ା,୩୦/୧୨/୨୦୨୫(ଓଡ଼ିଶା ସମାଚାର)-ବାଂଲାଦେଶରେ ନିରୀହ ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ବଳଦେବସେନା ପକ୍ଷରୁ ମଙ୍ଗଳବାର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସିଂହଦ୍ୱାର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ସଂଗଠନର ବହୁ କାର୍ଯ୍ୟକର୍ତା ଓ ସମର୍ଥକ ଯୋଗ ଦେଇଥିଲେ । ବିକ୍ଷୋଭକାରୀମାନେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁ ସମୁଦାୟଙ୍କ ସୁରକ୍ଷା ତତ୍କାଳ ନିଶ୍ଚିତ କରାଯାଉ ବୋଲି ଦାବି କରିଥିଲେ । କୌଣସି ଦେଶରେ ଧର୍ମ ଆଧାରରେ ନିରୀହ ଲୋକଙ୍କ ଉପରେ ହିଂସା କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ । ଯେପରି ଭାବେ ବାଂଲାଦେଶୀ ନାଗରିକ ଦିପୁ ଚନ୍ଦ୍ର ଦାସଙ୍କୁ ଗଛରେ ଝୁଲାଇ ଜୀବନ୍ତ ଦଗ୍ଧ କରାଯାଇଥିବା ଘଟଣା ଘଟିଥିଲା ତାହା ଅତ୍ୟନ୍ତ ହୃଦୟବିଦାରକ ।

ଏହି ଘଟଣା ସମଗ୍ର ହିନ୍ଦୁ ସମାଜକୁ ବିଚଳିତ କରିଛି । ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଭାରତ ସରକାର ତୁରନ୍ତ ବାଂଲାଦେଶରେ ନିର୍ଯ୍ୟାତିତ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଆବଶ୍ୟକ ହେଲେ ସେମାନଙ୍କୁ ଭାରତରେ ଶରଣାର୍ଥୀ ଭାବେ ରହିବାର ଅନୁମତି ଦିଅନ୍ତୁ ବୋଲି ସେନା ପକ୍ଷରୁ ଦାବି କରାଯାଇଛି । ଏହା ସହ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ଓ ରାଜନଗର ବ୍ଲକରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି ।

ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ଦିର ସେବକ ଟ୍ରଷ୍ଟି ନୃସିଂହ ଚରଣ ପତ୍ରୀ, ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଉମାକାନ୍ତ ବଳ, ମୁଖପାତ୍ର ଜ୍ୟୋତିରଞ୍ଜନ ପତ୍ରୀ, ସେବକ ରାଜେନ୍ଦ୍ର ପ୍ରସାଦ ପତ୍ରୀ ଓ ଅନ୍ୟ ସଦସ୍ୟ ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ହିମାଂଶୁ ରାଉତ, ପ୍ରକାଶ ଗୋଛୟତ, ଗଣେଶ ଗୋଛୟତ, ସୁବାସ ନାୟକ ଓ ଦିବ୍ୟାଂଶୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *