ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ସାଧାରଣ ସଭା ଓ କର୍ମକର୍ତା ଗଠନ

ଭୁବନେଶ୍ୱର,୧୦/୦୮/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ସଂଘର ସ୍ଥାୟୀ ସଭାପତି ହୃଷିକେଶ ସେଠୀଙ୍କ ସଭାପତିତ୍ୱରେ ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ, ୟୁନିଟ୍-୫ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂଘର ସାଙ୍ଗଠନିକ ବିଭିନ୍ନ କାର୍ଯ୍ୟ ଓ ଦାବିଦୁବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।

ଆଲୋଚନାରେ ୱାର୍କଚାର୍ଜଡ୍ କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି, ପେନସନ୍ ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ଓ ଗ୍ରାଚୁ୍ୟଇଟି ପ୍ରଦାନ, ଏଚ୍.ଆର. କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ଦାବି ଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହାଛଡ଼ା ସଂଘର ନୂତନ କର୍ମକର୍ତା ଗଠନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ପୂର୍ବତନ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି ଚାକିରିରୁ ତା ୩୦.୦୬.୨୦୨୫ରିଖରୁ ଅବସର ଗ୍ରହଣ କରୁଥିବାରୁ ତା ୨୨.୬.୨୦୨୫ରିଖରେ ସଂଘକୁ ଦେଇଥିବା ଇସ୍ତଫା ପତ୍ରକୁ ସଭାରେ ପାଠ କରାଯାଇ ସର୍ବସମ୍ମତିକ୍ରମେ ଅନୁମୋଦନ କରାଗଲା ।

କାର୍ଯ୍ୟସୂଚୀ ଅନୁଯାୟୀ ନୂତନ କର୍ମକର୍ତା ଗଠନ କରାଯାଇଥିଲା । ସଭାର ସର୍ବସମ୍ମତି ନିଷ୍ପତି କ୍ରମେ ସଭାପତି – ଯଦୁମଣି ପ୍ରଧାନ, କାର୍ଯ୍ୟକାରୀ ସଭାପତି-ସର୍ବଶ୍ରୀ ବାଳକୃଷ୍ଣ ବିଶ୍ୱାଳ, କୁନା ନାୟକ, ରବି କୁମାର ପାଣିଗ୍ରାହୀ, ଡମ୍ବରୁଧର ସାହୁ, ଉପସଭାପତି-ସର୍ବଶ୍ରୀ ସନ୍ତୋଷ କୁମାର ପଣ୍ଡା, ଅଶୋକ କୁମାର ସାହୁ, ପଲ୍ଲଭ ମହାନ୍ତି, ବାସୁଦେବ ପୁହାଣ, ସାଧାରଣ ସମ୍ପାଦକ-ହୃଷିକେଶ ସେଠୀ, ସଂଗଠନ ସମ୍ପାଦକ – ସିମାଂଚଳ ପଣ୍ଡା, କାର୍ଯ୍ୟାଳୟ ସମ୍ପାଦକ – ଯଯାତି କେଶରୀ ନାୟକ, କୋଷାଧ୍ୟକ୍ଷ-ଜଗନ୍ନାଥ ପାଳ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ମନୋନୀତ ହୋଇଛନ୍ତି । ୭ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ କମିଟିରେ ସ୍ଥାନ ପାଇଥିବା ବେଳେ ସର୍ବଶ୍ରୀ ମନୋଜ କୁମାର ମହାନ୍ତି, ଅଶ୍ୱିନୀ କୁମାର ପ୍ରଧାନ, ପ୍ରମୋଦ କୁମାର ନାୟକ ଓ ସାରଙ୍ଗଧର ବେହେରାଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି । ସଭାପତିଙ୍କ ଅଭିଭାଷଣ ପରେ ଶ୍ରୀ ଅଶ୍ୱିନୀ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଶତାଧିକ କର୍ମଚାରୀ ଉକ୍ତ ସଭାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *