(ବୁଲା ଗାଈଗରୁଙ୍କ ପାଇଁ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ଓ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଇବାକୁ ଦାବି )
ସାଲେପୁର,୨୯/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ସାଲେପୁର ବିଜ୍ଞାପିତ ଅଞ୍ଚଳ ଅଧିନ ଫ୍ରେଣ୍ଡସ କଲୋନୀ ନିକଟସ୍ଥ କଟକ- ଚାନ୍ଦବାଲି ରାଜ୍ୟ ରାଜପଥକୁ ସ୍ଥାନୀୟ ଜନସାଧାରଣ ମଙ୍ଗଳବାର ସକାଳ ସମୟରେ ଅବରୋଧ କରିଥିଲେ । ଏକ ବଡ଼ ଷଣ୍ଢ ସୋମବାର ରାତ୍ରରେ ଗାଡି ଦୁର୍ଘଟଣାରେ ମୃତ୍ୟୁ ହେବା ଘଟଣାକୁ ନେଇ ମଙ୍ଗଳବାର ସକାଳେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇ ସ୍ଥାନୀୟ ଜନସାଧାରଣ ରାସ୍ତା ଅବରୋଧ କରିଥିଲେ । ପ୍ରକାଶ ଥାଉକି ସାଲେପୁର ସହରାଞ୍ଚଳରେ ଏବେ ବହୁ ସଂଖ୍ୟାରେ ଷଣ୍ଢ ବୁଲୁଥିବାର ଦେଖିବାକୁ ମିଳୁଛି।ବହୁ ସମୟରେ ଗାଡି ଧକ୍କାରେ ଷଣ୍ଢ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଷଣ୍ଢଙ୍କ ସହିତ ଧକ୍କା ହୋଇ ବହୁ ଧନ, ଜୀବନ ଯାଇଥିବା ନଜିର ରହିଛି।
ଅନେକ ସମୟରେ ଗୋରକ୍ଷ ଓ ଜନସାଧାରଣ ଏହି ବୁଲା ଷଣ୍ଢ ମାନଙ୍କ ପାଇଁ ଏକ ଆଶ୍ରୟ କେନ୍ଦ୍ର କରିବା ପାଇଁ ପ୍ରଶାସନ ପାଖରେ ଦାବି କରିଆସୁଛନ୍ତି। ଅପରପକ୍ଷେ ଏହି ରାସ୍ତା ଦେଇ ଆବଶ୍ୟକୀୟ ଠାରୁ ବେନିୟମ ଭାବେ ବହୁ ବଡ ବଡ ଭାରୀଯାନ ଯିବା ଆସିବା କରୁଥିବାର ଦେଖାଯାଉଛି। ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାର ପ୍ରତିବାଦ ସ୍ୱରୂପ ରାସ୍ତା ଅବରୋଧ କରାଯାଇଥିବା ଅବରୋଧ କାରୀମାନେ ଦର୍ଶାଇ ଥିଲେ। ଘଟଣା ସ୍ଥଳରେ ସାଲେପୁର ଆଦର୍ଶ ଥାନା ଅଧିକାରୀ ମହେଶ୍ୱର ବେହେରା ପହଂଚି ଅବରୋଧ କାରୀଙ୍କୁ ବୁଝାସୁଝା କରି ଅବରୋଧ ହଟାଇବା ସହିତ ମୃତ ଷଣ୍ଢକୁ ରାସ୍ତାରୁ ଉଠାଇ ଥିଲେ । କିଛି ସମୟରେ ଧରି ରାସ୍ତା ଅବରୋଧ ପାଇଁ ଉଭୟ ପାଖରେ ଅଟକି ରହିଥିବା ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।
କଟକ-ଚାନ୍ଦବାଲି ରାସ୍ତାରେ ଦିନରାତି ବେନୀୟମ ଭାବେ ଚାଲୁଥିବା ଭାରୀଯାନ ଉପରେ କଟକଣା ଲଗାଇବା ଓ ବୁଲା ଗାଈ ଗୋରୁଙ୍କ ପାଇଁ ତୁରନ୍ତ ପ୍ରଶାସନ ପକ୍ଷରୁ ଆଶ୍ରୟ ସ୍ଥଳୀ ନିର୍ମାଣ କରିବାକୁ ଅଜୟ କୁମାର ସାହୁ, ସନ୍ତୋଷ ଭୂୟାଁ,ଶ୍ରୀରାମ ନାୟକ, ଲିପକ ସାହୁ,ଦୀପକ କୁମାର ନାୟକ, ବିଶ୍ୱଜିତ ପଲେଇ ଓ ବିବେକାନନ୍ଦ ନାୟକ ପ୍ରମୁଖଙ୍କ ସମେତ ବହୁ ସାଧାରଣ ଜନତା ଦାବି କରିଛନ୍ତି ।
