କଟକ, ୦୯/୦୮/୨୦୨୫(ଓଡ଼ିଶା ସମାଚାର)- ଏକ ଛିନତାଇ ଘଟଣାରେ ଚୌଦ୍ୱାର ଥାନା ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରବି ଓରଫ ରବି ରାଓ (୩୫), ଏସକେ ଅମିନ (୨୬) ଓ ରଜିଲା ସ୍ୱାମୀ (୩୦) । ସମସ୍ତ ଅଭିଯୁକ୍ତଙ୍କ ଘର ଭୁବନେଶ୍ୱର ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ ୩ ଶାନ୍ତିନଗର ବସ୍ତିରେ ବୋଲି ପୋଲିସ ସୂଚନା ଦେଇଛି ।
ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟେ ଟିଭିଏସ ଆପାଜି ମୋଟର ସାଇକେଲ (ଓଡ଼ି୦୫ବିଡ଼ି୩୦୩୭), ଗୋଟିଏ ପିସ୍ତଲ, ୫ଟି ଜୀବନ୍ତ ଗୁଳି, ଗୋଟିଏ କଟୁରୀ, ଗୋଟିଏ
ଲୁହା ରଡ଼, ପ୍ୟାନ କାର୍ଡ଼ ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ପୋଲିସ ସୂଚନା ମୁତାବକ, ଗତ ୧ ତାରିଖରେ ନରେନ୍ଦ୍ର ବେଉରା ଥାନାରେ ଏକ ଏତଲା ଦାୟର କରିଥିଲେ ।
ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ, ଶ୍ରୀ ବେଉରା, ଚୌଦ୍ୱାର ଥାନା ଅନ୍ତର୍ଗତ ଚିତ୍ରେଶ୍ୱର ଗ୍ରାମର ରାମଚନ୍ଦ୍ର ବେଉରା ଓ ତାଙ୍କ ବନ୍ଧୁ ସକାଳ ଚାଲିବା ପାଇଁ ଦୌଲତାବାଦରୁ ଜେନାପୁର ଯାଉଥିବା ସମୟରେ ୩ ଜଣ ଅଜଣା ଦୁର୍ବୃତ ଏକ ମୋଟରସାଇକେଲରେ ଆସି ପିସ୍ତଲ ଦେଖାଇ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ସୁନା ଚେନ ଓ ଲକେଟ ଛଡ଼ାଇ ନେଇଥିଲେ । ଏହି ଘଟଣାରେ ଶ୍ରୀ ବେଉରାଙ୍କ ହାତ ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ପୋଲିସ ଉକ୍ତ ଏତଲାକୁ ଆଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଓ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।
