ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ

ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ, ହୋଇପାରିବନି ଗୋହତ୍ୟା
କଟକ, ୦୮/୦୮/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟରେ ହୋଇପାରିବନି ଗୋହତ୍ୟା । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ହେବ । କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଧେଶ ଦେଇଛନ୍ତି । ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ିଚାଲିଥିଲା ।

ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ୁଥିଲା । ଆଉ କେଉଁଠି କେଉଁଠିତ ଗୋମାଂସ ଚୋରା ଚାଲାଣ ବେଳେ ଗାଡ଼ି ଧରାପଡ଼ିଥିବାର ନଜିର ରହିଛି । ଏହି ସବୁକୁ ରୋକିବା ପାଇଁ ଅନେକ ସମାଜସେବୀ ଏବଂ ସାଧାରଣ ଲୋକ ନିବେଦନ କରିଆସୁଥିଲେ, କିନ୍ତୁ ସରକାର ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ହାଇକୋର୍ଟ ଏ ସବୁକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିର୍ଦ୍ଧେଶକୁ ସ୍ୱାଗତ କରାଯାଇଛି ।

ପ୍ରଚଳିତ ଆଇନ ଅନୁସାରେ ଓଡ଼ିଶାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଅନୁସାରେ ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୌ ଜ୍ଞାନ ଫାଉଣ୍ଡେସନ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ଦର୍ଶାଇଥିଲେ ଯେ ଏହି ପ୍ରସଂଗରେ ଆଇନ ବିଭାଗ ନିକଟରୁ ମତାମତ ଲୋଡ଼ା ଯାଇଥିଲା ।

ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନର ଧାରା ୩ ଓ ଓଡ଼ିଶା ପୌର ନିଗମ ଆଇନ, ୨୦୦୩ର ଧାରା ୫୬୨ ଅନୁସାରେ ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ଅଟେ । ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଅନୁସଚିବଙ୍କ ତରଫରୁ ହାଇକୋର୍ଟଙ୍କ ଜୁଲାଇ ୩ ପାଳନ କରି ଦାଖଲ ସତ୍ୟପାଠରେ ଏ ନେଇ ଉଲ୍ଲେଖ କରାଯାଇଛି । ଏଥି ସହିତ ଆଇନ ବିଭାଗରୁ ମିଳିଥିବା ମତାମତର କପି ମଧ୍ୟ ସତ୍ୟପାଠ ସହିତ ସଂଲଗ୍ନ କରାଯାଇଥିଲା ।

ଅନ୍ୟପକ୍ଷରେ ୧୯୬୦ର ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନର ଧାରା ୩ ଅନୁସାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ହୋଇଥିବା ବେଳେ ଏହି ଆଇନ ଅନୁସାରେ ପ୍ରାଧିକୃତ କର୍ତୃପକ୍ଷ (କମ୍ପିିଟେନ୍ଟ ଅଥରିଟି)ଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇ ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା । ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ୱର ସହିତ ଗ୍ରହଣ କରି ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନର ଧାରା ୨ ଅନୁସାରେ ପ୍ରାଧିକୃତ କର୍ତୃକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।

ଏହି ପ୍ରସଂଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି । ସେପ୍ଟେମ୍ବର ୧କୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *