କେନ୍ଦ୍ରାପଡ଼ା, ୧୫/୦୫/୨୦୨୪ (ଓଡ଼ିଶା ସମାଚାର)- ଚଳିତ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ କେନ୍ଦ୍ରାପଡା ଲୋକସଭା ଆସନ ନିମନ୍ତେ ନାମାଙ୍କନ ଦାଖଲ କରିଥିବା ୩ ଜଣ ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୪ଟି ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ଜଣାପଡିଛି । ଲୋକସଭା ଆସନ ନିମନ୍ତେ ମୋଟ୍ ୧୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଜିଲାର ୫ଟି ବିଧାନସଭା ଆସନ ନିମନ୍ତେ ୪୮ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେଥିମଧ୍ୟରୁ ଆଜି ନାମାଙ୍କନ ପତ୍ରର ଯାଂଚ ପରେ ଲୋକସଭା ଆସନ ପାଇଁ ନାମାଙ୍କନ କରିଥିବା ସ୍ୱାଧୀନ ପ୍ରାର୍ଥୀ ଈଶ୍ୱର ନାୟକ, ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ରଞ୍ଜନ କୁମାର ମଲ୍ଲିକ ଓ ସମାଜବାଦୀ ପାର୍ଟିର ରବିନ୍ଦ୍ରନାଥ ବେହେରାଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି । ସେହିପରି କେନ୍ଦ୍ରାପଡା (ସଂରକ୍ଷିତ) ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ଜନତା ଦରବାରର ଶରତ ଚନ୍ଦ୍ର ସେଠୀ ଓ ସମାଜବାଦୀ ପାର୍ଟିର ବିନିତା ମଲ୍ଲିକଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ଆଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ଓ ସମାଜବାଦୀ ପାର୍ଟିର ମିନତୀ ସୁନ୍ଦର ରାୟଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ନାମାଙ୍କନ ନାକଚ ପରେ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା ପାଇଁ ରହିଥିବା ବେଳେ ୫ଟି ବିଧାନସଭା କ୍ଷେତ୍ର ପାଇଁ ୪୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତାରେ ରହିଲେ । ଆସନ୍ତା ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଥିବା ବେଳେ ଆସନ୍ତା ଜୁନ ୧ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଜୁନ ୪ତାରିଖରେ ଭୋଟ ଗଣତି କରାଯିବ ।
କେନ୍ଦ୍ରାପଡାରେ ୩ ଲୋକସଭା ଓ ୪ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ନାକଚ
