ଭର୍ଜିନ୍ ଲ୍ୟାଣ୍ଡ ସିକୁ୍ୟରିଟି ଶିଖର ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୬/୦୮/୨୦୨୫ (ଓଡ଼ିଶା ସମାଚାର)- ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦୟ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ନୂଆଦିଲ୍ଲୀର ଇଣ୍ଡିଆ ଇଂଟରନ୍ୟାସନାଲ୍ ସେଂଟରରେ ଅନୁଷ୍ଠିତ ଭର୍ଜିନ୍ ଲ୍ୟାଣ୍ଡ ସିକୁ୍ୟରିଟି ଶିଖର ସମ୍ମିଳନୀରେ ଯୋଗଦେଇଛନ୍ତି । ଭାରତରେ ୬୦ ନିୟୁତ ହେକ୍ଟରରୁ ଅଧିକ ଅନୁର୍ବର କିମ୍ବା ଅବ୍ୟବହୃତ ଜମି ଅଛି ଏବଂ ଏଥିରୁ ପ୍ରାୟ ୨୦ ନିୟୁତ ଜୈବିକ କୃଷି ପାଇଁ ଉପଯୁକ୍ତ । ଜୈବିକ ଉତ୍ପାଦର ବିଶ୍ୱ ଚାହିଦା ବୃଦ୍ଧି ପାଇବା ସହିତ, ଏହା ଆମର କୃଷକମାନଙ୍କ ପାଇଁ ସ୍ଥାୟୀ କୃଷି କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ନେବାର ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ବଳଭଦ୍ର ଜୈବିକଚାଷ ମିଶନ ସହିତ, ଆମେ ଆମର ପ୍ରାଚୀନ ଆଦିବାସୀ ଅଂଚଳଗୁଡ଼ିକୁ ଜୈବିକ କ୍ଲଷ୍ଟରରେ ପରିଣତ କରିବା ଆରମ୍ଭ କରିଛୁ । ଆମର ଚାଷଯୋଗ୍ୟ ଜମିର ପ୍ରାୟ ୩୨ ପ୍ରତିଶତରେ ସର୍ବନିମ୍ନ ରାସାୟନିକ ବ୍ୟବହାର ହେଉଛି । ଏବେ ଆମେ ଗୋଟିଏ ଜିଲ୍ଲା – ଗୋଟିଏ ଜୈବିକ କ୍ଲଷ୍ଟର, ଆମ୍ବ, ହଳଦୀ, ବାଜରା ଏବଂ ଅଦା ପାଇଁ କୃଷି- ପ୍ରକ୍ରିୟାକରଣ ୟୁନିଟ୍, ରପ୍ତାନି-ମୁଖୀ କୃଷି ପାର୍କ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏଫପିଓ ସହିତ ଜଡିତ ହୋଇ ଜୈବିକ ମୂଲ୍ୟ ଶୃଙ୍ଖଳ, ମାଣ୍ଡିଆ ଓ ବାଜରା-ଭିତିକ ଉଦ୍ୟୋଗ ଏବଂ ଇକୋ-କୃଷି ହବ୍ ବୃଦ୍ଧି କରୁଛୁ ।

ନିବେଶକ ଏବଂ ଉଦ୍ଭାବକମାନଙ୍କ ପାଇଁ ଓଡ଼ିଶା ଦୃଢ଼ ନୀତି, ଜମି, ବିଦ୍ୟୁତ୍, ସବସିଡି, ପୁଞ୍ଜି ପ୍ରୋତ୍ସାହନ ଏବଂ ଫାଷ୍ଟ-ଟ୍ରାକ୍ ମଞ୍ଜୁରୀ ପ୍ରଦାନ କରୁଛି । ବିଶ୍ୱସ୍ତରୀୟ ଅଂଶୀଦାର ଓ କୃଷି ଉଦ୍ୟୋଗୀମାନଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରି ଏହି ପରିବର୍ତନରେ ଭାଗୀଦାର ହେବାକୁ କହିଛନ୍ତି । ସମ୍ମିଳନୀରେ ନରୱେର କୃଷି ଉଦ୍ୟୋଗୀ ଓଡ଼ିଶାର ପରିବେଶ-କୃଷି କ୍ଷେତ୍ରକୁ ପ୍ରଶଂସା କରିଥିଲେ । ସମ୍ମିଳନୀରେ ଉଦୟ ଇଣ୍ଡିଆ ପତ୍ରିକାର ସମ୍ପାଦକ ଦୀପକ କୁମାର ରଥ, ନୀତି ନିର୍ଦ୍ଧାରକ, କୃଷିବ୍ୟବସାୟୀ ନେତା, ଚାଷୀ ସଂଗଠନ, ଭୂମି ସଂସ୍କାର ରପ୍ତାନି ଏବଂ ବିକାଶ ସଂସ୍ଥା ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *