ମଣ୍ଡି ଅବ୍ୟବସ୍ଥା ବିରୁଦ୍ଧରେ କୃଷକସଭାର ଜିଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାରେ ଧାନକ୍ରୟ ପାଇଁ ମଣ୍ଡି ଖୋଲାଯିବାର ପନ୍ଦର ଦିନ ଅତିକ୍ରମ କରିଥିଲେ ମଧ୍ୟ ଅଧିକାଂଶ ମଣ୍ଡି କାର୍ଯ୍ୟକ୍ଷମ ନହେବା ଜିଲାର ଚାଷୀକୁଳକୁ ହତାଶ କରିଛି ବୋଲି ଓଡିଶା କୃଷକସଭା(ଏ.ଆଇ.କେ.ଏସ.) କେନ୍ଦ୍ରାପଡ଼ା ଜିଲା କମିଟି ଅବିହିତ କରିଛି  । ସରକାରୀ ଭାବେ ଧାନକ୍ରୟ ପାଇଁ ପ୍ରତିବର୍ଷ ଡିସେମ୍ବର ୨୮ତାରିଖରେ ସାରା ଜିଲ୍ଲାରେ ମଣ୍ଡି ଖୋଲିଥାଏ ଓ ମାର୍ଚ୍ଚ ୩୧ରେ ଧାନ ସଂଗ୍ରହ ଶେଷ ହେଇଥାଏ । କିନ୍ତୁ ଏବର୍ଷ ଧାନ କ୍ରୟର ଶେଷ ତାରିଖ ସ୍ଥିର ଥିଲେବି ମଣ୍ଡି ଖୋଲିବାର ତାରିଖ ସପ୍ତାହେ ଅର୍ଥାତ ଜାନୁୟାରୀ ୫ତାରିଖକୁ ଘଂଚାଇ ଦିଆଗଲା । ଅନ୍ୟପକ୍ଷରେ ଧାନ କ୍ରୟର ଅବଧିକୁ ବୃଦ୍ଧି କରାଗଲା ନାହିଁ । ଅନ୍ୟ ପକ୍ଷରେ କଟାଣି ଛଟାଣି ସହିତ ମାସ ମାସ ଧରି ଧାନ ମଣ୍ଡିରେ ପଡିରହୁଥିବା ବେଳେ ବାହାର ରାଜ୍ୟର ବେପାରୀ ମାନେ ଏଥର ୧୮ଶହରୁ ଦୁଇ ହଜାର ଟଙ୍କାର ଧାନ ସଂଗ୍ରହ କରୁଥିବାରୁ ଚାଷୀ ବାଧ୍ୟ ହୋଇ ଧାନ ବିକ୍ରି କରିଦେଉଛି । ଜିଲା ପ୍ରଶାସନ ଫସଲ ସଂଗ୍ରହ କମିଟିରେ କୌଣସି ଚାଷୀ ସଙ୍ଗଠନକୁ ସାମିଲ କରୁନଥିବାରୁ ବୈଠକରେ ବହୁ ତ୍ରୁଟିପୂର୍ଣ ନିଷ୍ପତିି ନିଆଯାଉଛି । ତାର ପରିଣତି ଚାଷୀମାନେ ଭୋଗୁଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି । ରାଜ୍ୟ ସରକାର ଚାଷୀର ଧାନ ଅମଳର ସ୍ଥିତିକୁ ଦେଖି ଟୋକନ ବ୍ୟବସ୍ଥା କରିଛନ୍ତି । ଗୋଟିଏ ପଟରେ ଜିଲାରେ ଏବର୍ଷ ବର୍ଷା ଅଭାବରୁ ଧାନ ଅମଳ କମିବା ଓ ବାହାର ବେପାରୀ ଧାନ କିଣି ନେଉଥିବାରୁ ଯୋଗାଣ ବିଭାଗ ପାଇଁ ଧାନ କିଣିବାର ବିଶେଷ ବୋଝ ରାହୁନଥିଲା ବେଳେ କ’ଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶକୁ ଅବଜ୍ଞା କରି ନିଷ୍ପତି କରିଛି ଜଣେ ଚାଷୀଠାରୁ ସର୍ବାଧିକ ପଚାଶ କୁଇଂଟାଲ ଧାନ କିଣିବ । ଏଣୁ କୃଷକସଭା ଦାବି କରିଛି ଅବିଳମ୍ବେ ଏହି ତ୍ରୁଟିପୂର୍ଣ ନିଷ୍ପତିକୁ ବଦଳାଇ ଯୋଗାଣ ବିଭାଗ ଟୋକନ ଅନୁଯାୟୀ ଚାଷୀଙ୍କ ଠାରୁ ଧାନ କିଣନ୍ତୁ । ଏଥି ସହିତ ସମସ୍ତ ମଣ୍ଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସେଙ୍ଗ ସେଙ୍ଗ ଧାନ କିଣାର ଅବଧି ଅପ୍ରେଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ତାସହିତ ସପ୍ତାହକୁ ତିନି ଦିନ ବଦଳରେ ଚାରି ଦିନ ମଣ୍ଡି ଖୋଲିବାର ବ୍ୟବସ୍ଥା କରାଯାଉ । ଜିଲା ଫସଲ ଅମଳ କମିଟିରେ କୃଷକ ସଙ୍ଗଠନ ମାନଙ୍କୁ ସାମିଲ କରିବା, ଧାନ କୁଇଂଟାଲ ପିଛା ତିନି ହଜାର ଟଙ୍କା ପ୍ରଦାନ କରିବା, ସମସ୍ତ ମଣ୍ଡିରେ ଧାନ ବସ୍ତା ସଂରକ୍ଷଣ ପାଇଁ ପାଚେରୀ ବୁଲାଇବା ସହିତ ଛାତ ବ୍ୟବସ୍ଥା କରିବା, ରାଜ୍ୟସରକାର ଦେଇଥିବା ଅଖା ପଇସାକୁ ଚାଷୀଙ୍କ ଖାତାରେ ସିଧାସଳଖ ଜମା ଦେବା ପାଇଁ ଜିଲା କମିଟି ଦାବି ଜଣାଇଛି । ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର କୁଇନ ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ ନକଲେ ସାରା ଜିଲାରେ ଆନ୍ଦୋଳନ ହାତକୁ ନେବ ବୋଲି ସଂଗଠନ ଘୋଷଣା କରିଛି । ଏହି ପ୍ରତିନିଧୀ ଦଳରେ ଜିଲା ସଭାପତି ଗୟାଧର ଧଳ, ସମ୍ପାଦକ ବିଜୟ ଦାସ, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଜଗତ ଜୀବନ ଦାସ, ମାଧବ ଦାସ, ଦାଶରଥି ସାହୁ, ବୈଷ୍ଣବ ଚରଣ ସ୍ୱାଇଁ, ଗୁଣମଣି ବେହେରା, କୁଳମଣି ଦାସ, ଅବିନାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *