କମ୍ପିବ କଳିଙ୍ଗ, ଦେଖିବ ବିଶ୍ୱ – ୧୯ ଦେଶରୁ ଭାଗ ନେବେ ୨୦୦ରୁ ଊର୍ଦ୍ଧ୍ୱ ଖେଳାଳି
ଭୁବନେଶ୍ୱର,୦୬/୦୮/୨୦୨୫ (ଓଡ଼ିଶା ସମାଚାର)-ଦିନ ପାଖେଇ ଆସୁଛି । ଆୟୋଜକ ତତ୍ପର, କ୍ରୀଡ଼ାପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆସିବେ ୧୯ଟି ଦେଶରୁ ୨୦୦ରୁ ଊର୍ଦ୍ଧ୍ୱ ଖେଳାଳି । ଘରୋଇ ଖେଳାଳିମାନେ ମଧ୍ୟ ଉତ୍ସାହିତ । ଘରୋଇ ଷ୍ଟାଡିୟମରେ ବିଦେଶୀ ଖେଳାଳିଙ୍କ ସହ ଟକ୍କର ଦେବାକୁ ସେମାନେ ଚଳାଇଛନ୍ତି ପ୍ରସ୍ତୁତି । ୧୦ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଆଥଲେଟିକ୍ସ କଂଟିନେନ୍ଟାଲ ଟୁର (ବ୍ରୋଞ୍ଜ ଲେଭେଲ) ୨୦୨୫ ।
ବିଶ୍ୱ ଆଥଲେଟିକ୍ସ, ଭାରତୀୟ ଆଥଲେଟିକ୍ସ ସଂଘ (ଏଏଫ୍ଆଇ) ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଧେଶକ ବାରମ୍ବାର ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । କ୍ରୀଡ଼ାମନ୍ତ୍ରୀ ମଧ୍ୟ ଏହା ଉପରେ ସତର୍କ ନଜର ରଖିଛନ୍ତି । ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବାନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ବାରମ୍ବାର ଆଲୋଚନା ଚଳାଛନ୍ତି । ହୁଏତ ଆସନ୍ତା ୯ ତାରିଖରୁ ଖେଳାଳିମାନେ ଭୁବନେଶ୍ୱରରେ ପହଂଚିବା ଆରମ୍ଭ କରିବେ । ଦିନେ ଦୁଇ ଦିନର ପ୍ରସ୍ତୁତି ପରେ ସେମାନେ ୧୦ ତାରିଖରେ ଟ୍ରାକ୍ କୁ ଓହ୍ଲାଇବେ ।
ଓଡ଼ିଶାରୁ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅନିମେଶ କୁଜୁର (୧୦୦ ଓ ୨୦୦ ମିଟର), ଲାଲୁ ପ୍ରସାଦ ଭୋଇ (୧୦୦ ଓ ୨୦୦ ମିଟର), କିଶୋର କୁମାର ଜେନା (ଜାଭେଲିନ), ବିକ୍ରାନ୍ତ ମଲ୍ଲିକ (ଜାଭେଲିନ), ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର) ଓ ପ୍ରଜ୍ଞା ସାହୁ (୧୦୦ ମିଟର ହର୍ଡଲ୍ସ) । ନିକଟରେ ଜର୍ମାନୀରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅନିମେଶ ଓ ଲାଲୁ ପ୍ରସାଦ ଭାରତୀୟ ଦଳରେ ସାମିଲ ହୋଇଛି ୪ ଗୁଣା ୧୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ । ଚଳିତ ସିଜନରେ କିଶୋରଙ୍କ ପ୍ରଦର୍ଶନ ଭଲ ନାହିଁ । ହୁଏତ ନିଜ ଘରୋଇ ଗ୍ରାଉଣ୍ଡରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ।
