ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଜନଶୁଣାଣୀ ରୁ ବଞ୍ଚିତ କରାଯାଇଥିବା ଗ୍ରାମବାସୀ ମାନଙ୍କ ଆପତ୍ତି ଅଭିଯୋଗ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ରେ ଦାଖଲ କରାଗଲା

ଭୁବନେଶ୍ଵର,୦୬/୦୮/୨୦୨୫(ଓଡ଼ିଶା ସମାଚାର)-ଗତ ଜାନୁଆରୀ ୧୮ ତାରିଖରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକର ଟିକରପଡା ରେ ଏସାର କମ୍ପାନୀ ର ପେଲେଟ କାରଖାନା ଓ ଜଳ ପାଇପ ବାସ୍ଲୁରୀ ଦ୍ଵାରା ଲୁହା ପଥର ପେଲେଟ ପରିବହନ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ନେଇ ଜନ ଶୁଣାଣୀ ହୋଇଥିଲା, କିନ୍ତୁ ହଜାର ହଜାର ଗ୍ରାମବାସୀ ମାନଙ୍କୁ ଜନଶୁଣାଣୀକୁ ପ୍ରବେଶ କରିବାକୁ ଦିଆଯାଇନଥିଲା ପୋଲିସ ଓ ପ୍ରଶାସନ ଦ୍ଵାରା କମ୍ପାନୀ ର ହାତଗଣତି ସମର୍ଥକ ମାନଙ୍କୁ ନେଇ ଜନଶୁଣାଣୀ ଶେଷ କରିଦିଆଯାଇଥିଲା। ତେଣୁ ଜନଶୁଣାଣୀ ପୁନର୍ବାର କରିବାକୁ ଜନତାଙ୍କ ତରଫରୁ ମଧୁସୂଦନ ସାହୁ, ବିକାଶ ସାହୁ ପ୍ରମୁଖ ଆଡଭୋକେଟ ଇଶ୍ଵର ଚନ୍ଦ୍ର ମହାନ୍ତିଙ୍କ ଦ୍ଵାରା ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଗତ ଜୁଲାଇ ୨୭ ତାରିଖରେ ବିଚାରପତି ଙ୍କ ରାୟରେ ନିର୍ଦ୍ଦେଶ ଦିଆଗଲା ଜନଶୁଣାଣୀରେ ଆପତ୍ତି ଅଭିଯୋଗ କରିପାରିନଥିବା ଜନସାଧାରଣ ଦଶଦିନ ମଧ୍ୟରେ ଜନଶୁଣାଣୀ କରାଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦରେ ଆପତ୍ତି ପତ୍ର ଦାଖଲ କରିପାରିବେ। ସେହି ରାୟ ଅନୁଯାୟୀ କେନ୍ଦୁଝର ଜିଲ୍ଲାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ବାଚନମଣ୍ଡଳୀର ୬ଟି ପଞ୍ଚାୟତର ପ୍ରାୟ ଦୁଇହଜାର ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ଦସ୍ତଖତ ଥାଇ ଆପତ୍ତି ପତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ ଙ୍କୁ ପ୍ରଦାନ କରାଯାଇଛି। ଏସାର ମିନିମେଟ କମ୍ପାନୀ ବିରୋଧୀ ମଞ୍ଚ ତରଫରୁ ମନୋଜ ସାହୁ, ବିକାଶସାହୁ, ଠାକୁର ମାରାଣ୍ଡି, ଶ୍ରୀମତୀ ରୁକ୍ମଣୀ ବେହେରା, କନକ ବେହେରା, ଚନ୍ଦ୍ରମଣି ସୋରେନ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ଆପତ୍ତି ପତ୍ର ଦେବାକୁ ଆସିଥିଲେ।

ଏଠାରେ କମ୍ପାନୀର ଲୁହାପଥର କ୍ରସିଂ, ଗ୍ରାଇଣ୍ଡିଙ୍ଗ ଦ୍ଵାରା ବାୟୁ, ଜଳ ଓ ମାଟି ପ୍ରଦୂଷଣ ହେବାସହ ସ୍ଲୁରୀ ଦ୍ଵାରା ଲୁହାପଥର ପରିବହନ ବୈତରଣୀ ନଦୀ ଓ ଭୂତଳ ଜଳ ଶୋଷିନେବା ପରେ ଉର୍ବର ମାଟି କୃଷିଧ୍ବଂସ ହେବ ଓ ଜଳଶୂନ୍ୟ ହୋଇଯିବ ବୋଲି କମ୍ପାନୀର ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ନଦେବାକୁ ଓ ପ୍ରତ୍ୟାହାର କରିଦେବାକୁ ଦାବି କରାଯାଇଛି। ଆପତ୍ତି ପତ୍ର ଦେବା ବେଳେ ଜନଆନ୍ଦୋଳନ ନେତା ପ୍ରଫୁଲ୍ଲ ସାମାନ୍ତରା, ବାମପନ୍ଥୀ ନେତା ଜୟନ୍ତ ଦାସ, ଜନସ୍ୱାସ୍ଥ୍ୟ ଅଭିଯାନ ର ରାଜ୍ୟ ଆବାହକ ଗୌରାଙ୍ଗ ମହାପାତ୍ର, ଲୋହିଆ ଏକାଡ଼େମୀ ର ସମ୍ପାଦକ ଦେବ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କ ଦାବି କୁ ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *