ଶିବ ପ୍ରସାଦ ଭଳ ବିଜେଡି ଜିଲା ସଭାପତି

କେନ୍ଦ୍ରାପଡ଼ା, ୦୪/୦୮/୨୦୨୫(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଶିବ ପ୍ରସାଦ ଭଳଙ୍କ ନାମ କେନ୍ଦ୍ରାପଡା ଜିଲା ସଭାପତି ଭାବେ ଘୋଷଣା କରିଛନ୍ତି । ଶ୍ରୀ ଭଳ ଜଣେ ଦକ୍ଷ ସଂଗଠକ ଭାବେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି । ୨୦୨୦ମସିହାରେ ବିଜୁ ଜନତା ଦଳ ସମର୍ଥନରେ ଉପନିର୍ବାଚନରେ କେନ୍ଦ୍ରାପଡ଼ା ପଂଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ପଂଚାୟତ ସମିତିର ବହୁବିଧ ବିକାଶ କରିଥିଲେ ।

୨୦୧୨ମସିହାରେ ଶ୍ରୀ ଭଳଙ୍କ ପତ୍ନୀ ନିବେଦିତା ସାମଲ କେନ୍ଦ୍ରାପଡା ପଂଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ । ଏକ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଭଳଙ୍କୁ ଏହି ପଦରେ ନିଯୁକ୍ତି ମିଳିଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ଭଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେଡି ସୁପ୍ରିମୋ ମୋ ଉପରେ ଭରସା କରି ଯେଉଁ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି ତାହାକୁ ସୂଚାରୁ ରୁପେ ସମ୍ପାଦନ କରି ଦଳକୁ ଅଧିକ ସୁଦୃଢ କରିବାକୁ ଉଦ୍ୟମ କରିବି । ସମସ୍ତ ଦଳୀୟ କର୍ମୀଙ୍କୁ ସାଥିରେ ନେଇ ଜିଲାର ବିକାଶ ପାଇଁ ସଂଗ୍ରାମ ଜାରି ରଖିବି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *