ଭାରତୀୟ ପୂର୍ବ ସେନାନୀ ସଂଘ ଓଡ଼ିଶାର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚିତ ।

ଭୁବନେଶ୍ୱର,୦୪/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭାରତୀୟ ପୂର୍ବ ସେନାନୀ ସଂଘ ଓଡ଼ିଶାର ରାଜ୍ୟସ୍ତରୀୟ ବାର୍ଷିକ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଳା ମାନଙ୍କରୁ ପ୍ରତିନିଧି ମାନେ ଯୋଗ ଦେଇ ନିଜ ନିଜ ଜିଲ୍ଲାର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ । ଅବସରପ୍ରାପ୍ତ ଗ୍ରୁପ୍ କ୍ୟାପଟେନ ଜଗଦାନନ୍ଦ ବ୍ରହ୍ମାଙ୍କ ପୌରୋହିତ୍ୟରେ ବୈଠକ ଆରମ୍ଭ କରାଯାଇଥିଲା । ସଂଘର ସାଧାରଣ ସଂପାଦକ ଭେଟେରାନ୍ ବିଦ୍ୟାଧର ନାୟକ ବିଗତ ୧୫ ବର୍ଷରେ ସଙ୍ଗଠନର ସଫଳତା ଉପରେ ବିଶଦ ବିବରଣୀ ପାଠ କରିଥିଲେ ।

ସଂଘ ପ୍ରୟାସରୁ ଉଚ୍ଚଶିକ୍ଷା(ଓୟୁଏଟି) କ୍ଷେତ୍ରରେ ପୂର୍ବ-ସୈନିକ ସନ୍ତାନମାନଙ୍କୁ ସ୍ଥାନ ସଂରକ୍ଷଣ ଲାଗୁ ହେବା ସହ ଓଡ଼ିଶାର ପୂର୍ବ ସୈନିକମାନଙ୍କୁ ପୂର୍ବଭଳି ଆଉ ରାଞ୍ଚି, ବିଶାଖାପାଟଣା, କୋଲକାତା ନଯାଇ ନିଜ ରାଜ୍ୟରୁ ଭୁବନେଶ୍ଵରର କ୍ୟାଣ୍ଟିନ୍ ଜରିଆରେ ଯାନବାହନ କିଣିବା ସମ୍ଭବ ହୋଇପାରିଲା । ସଙ୍ଗଠନ ପ୍ରୟାସରେ ରକ୍ଷାମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ସୈନିକ ସ୍କୁଲ ମାନଙ୍କରେ ଛାତ୍ରୀମାନଙ୍କ ନାମଲେଖା ଆରମ୍ଭ ହୋଇ ପାରିଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଚାପ ପ୍ରୟୋଗ କରାଯାଇ ଓଡ଼ିଶା ଉପକୂଳରେ ଏକ ଜାହାଜ ନିର୍ମାଣ କାରଖାନା ସ୍ଥାପନା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇ ପାରିଲା । ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରି ଓଡ଼ିଶା ରାଜ୍ୟରେ ସଶସ୍ତ୍ର ବଳ ନ୍ୟାୟାଧିକରଣ (Armed Forces Tribunal) ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରାଇବାରେ ସଙ୍ଗଠନ ସଫଳ ହୋଇଥିଲା ।

ରାଜ୍ୟ ଓ ଦେଶର ହିତରେ ସଙ୍ଗଠନର କର୍ତ୍ତବ୍ୟ ଓ ଦାୟିତ୍ଵବୋଧତା ନେଇ ଅନେକ କାର୍ଯ୍ୟ ସଂଘ ପକ୍ଷରୁ କରାଯାଇଛି । ନ୍ୟାୟିକ ପ୍ରକ୍ରିୟାରେ ପୂର୍ବ ସୈନିକମାନଙ୍କ ଅଭିଯୋଗକୁ ଅଣଦେଖା କରିବା, ସରକାରୀ ସ୍ତରରେ ଅମଲାତନ୍ତ୍ରର ଜଟିଳତା ନେଇ ସଙ୍ଗଠନ ପକ୍ଷରୁ ଅନେକ ସମୟରେ ଅଭିଯୋଗ ମଧ୍ୟ କରାଯାଇ ଥିବାର ସେ ସୂଚନା ଦେଇଥିଲେ ।

ଆଗାମୀ ଦିନରେ ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ ସଂପର୍କରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମଧନ୍ୟ ଐତିହ୍ୟ ଗବେଷକ ତଥା ପ୍ରତିରକ୍ଷା ବିଶେଷଜ୍ଞ ଶ୍ରୀଯୁକ୍ତ ଅନୀଲ ଧୀର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବ ସୈନିକମାନଙ୍କର ଦେଶପ୍ରୀତି ଓ ଶୃଙ୍ଖଳିତ ଜୀବନଶୈଳୀର ଭୂୟସୀ ପ୍ରଶଂସା କରିଥିଲେ । ଏଭଳି ଏକ ଶୃଙ୍ଖଳିତ ଏବଂ ସମର୍ପିତ ମାନବ ସମ୍ବଳର ରାଷ୍ଟ୍ର ନିର୍ମାଣରେ ଖୁବ୍ କମ୍ ଉପଯୋଗ ହୋଇପାରିଛି କହି ସେ ନିଜର ଉଦବେଗ ପ୍ରକାଶ କରିଥିଲେ ।

ବର୍ତ୍ତମାନ ଭାରତର ରାଜନୈତିକ କ୍ଷେତ୍ରରେ ଯେଭଳି ବିଶୃଙ୍ଖଳା ଦେଖା ଯାଉଛି ସେଥିରେ ପୂର୍ବ ସୈନିକ ମାନଙ୍କୁ ୧୦% ସଂରକ୍ଷଣ ଦେଇ ଆଗକୁ ଅଣାଗଲେ ରାଷ୍ଟ୍ର ଅନେକ ସଙ୍କଟରୁ ରକ୍ଷା ପାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏଥିପାଇଁ ସେ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ପୂର୍ବ ସୈନିକମାନଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ଲାଗୁ କରିବାକୁ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବ ରଖିଛନ୍ତି । ମଞ୍ଚରେ ଉଦୀୟମାନ ସାମାଜିକ କର୍ମୀ ତଥା ଅଧିବକ୍ତା ରଜତ କୁମାର ମିଶ୍ର ଓ ଯୋଗାଚାର୍ଯ୍ୟ ଡଃ ବିଶ୍ଵରଞ୍ଜନ ରଥଙ୍କୁ ସମ୍ମାନୀତ କରାଯାଇଥିଲା । ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ପୂର୍ବତନ କାର୍ଯ୍ୟକାରିଣୀକୁ ଭଙ୍ଗ କରାଯାଇ ନୂତନ କାର୍ଯ୍ୟକାରିଣୀ ଗଠନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏଥିରେ ନୂତନ ସଭାପତି ରୂପେ ଅବସରପ୍ରାପ୍ତ କର୍ଣ୍ଣେଲ ଜ୍ୟୋତିର୍ମୟ ଶତପଥୀ, ସମ୍ପାଦକ ଭାବରେ ଭେଟେରାନ୍ ବିଦ୍ୟାଧର ନାୟକ, ଯୁଗ୍ମସମ୍ପାଦକ ଦୀନବନ୍ଧୁ ଷଡ଼ଙ୍ଗୀ, ଉପସଭାପତି ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ଡଃ ରାଜେଶ୍ ନିଗମ୍, ପୂର୍ବତନ ମେରାଇନ୍ କମଣ୍ଡୋ ରବୀନ୍ଦ୍ର କୁମାର ସାହୁ(ସେନା ପଦକ ପ୍ରାପ୍ତ) , ଭେଟେରାନ୍ ମହେଶ୍ୱର ଦୀକ୍ଷିତ, କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ୱିଙ୍ଗ କମାଣ୍ଡର ପ୍ରଭାସ ଚନ୍ଦ୍ର ପଟ୍ଟନାୟକ, କାଳୀ ପ୍ରାସାଦ ମିଶ୍ର, କୋଷାଧ୍ୟକ୍ଷ ଏୟାର ଭେଟେରାନ୍ ଅରୁଣ ମହାନ୍ତି ପ୍ରମୁଖ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ନ୍ୟାୟିକ ପରାମର୍ଶଦାତା ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ଯୁଗ୍ମ ସମ୍ପାଦକ ତଥା ଅଧିବକ୍ତା ଶ୍ରୀଯୁକ୍ତ ବିଜନ୍ କୁମାର ଥାମ୍ବା ଏବଂ ଅଧିବକ୍ତା ରଜତ କୁମାର ମିଶ୍ର ଦାୟିତ୍ଵ ଗ୍ରହଣ କରିଥିଲେ । ସଙ୍ଗଠନର ପରାମର୍ଶଦାତା ଭାବେ ଅବସରପ୍ରାପ୍ତ ଗ୍ରୁପ୍ କ୍ୟାପଟେନ ଜଗଦାନନ୍ଦ ବ୍ରହ୍ମା, ଭେଟେରାନ୍ ରୋଟାରୀଆନ୍ ସମରେନ୍ଦ୍ର ପରିଜା ଓ ଆର୍ମି ଭେଟେରାନ୍ ହର ପ୍ରସାଦ ଦୋରା ପ୍ରମୁଖ ଦାୟିତ୍ଵ ଗ୍ରହଣ କରି ସଙ୍ଗଠନକୁ ସମ୍ମିଳିତ ରୂପେ ସଙ୍ଗଠନର ଲକ୍ଷ୍ୟ ସାଧନ ପାଇଁ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *