ଭୁବନେଶ୍ୱର,୦୩/୦୮/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମାଓବାଦୀଙ୍କ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଥିବା ବେଳେ କୋଇଡାର ରକ୍ସି – ଟୋପାଡ଼ିହି ମଝିରେ ଆଇଇଡି ବିସ୍ଫୋରଣ କରି ରେଳଧାରଣା ଉଡାଇ ଦେଇଛନ୍ତି । ଏହି ଘଟଣାରେ ରେଳ କର୍ମଚାରୀ ଇଟୁଆ ଓରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।
ସାମାଜିକ ଗଣମାଧ୍ୟମ ଏକ୍ସରେ ସିଏମ୍ଓ ପକ୍ଷରୁ କହୁଯାଇଛି :
ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ଏକ ଅପ୍ରତ୍ୟାଶିତ IED ବିସ୍ଫୋରଣରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ଦୁଃଖଦ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
