ବାଲିଗୁଡା,୨୯/୧୨/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଗତକାଲି ବର୍ଷର ଶେଷ ରବିବାର ହୋଇଥିବାରୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ପର୍ୟ୍ୟଟକମାନେ ବଣ ଭୋଜି କରି ମଜା ନେଉଥିବା ବେଳେ କୌଣସି କାରଣରୁ ୨ ଗୋଷ୍ଠି ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ପରିସ୍ଥିତି ଏମିତି ଘଟିଥିଲା ଯେ ଉଭୟ ଗୋଷ୍ଠି ମଧ୍ୟରେ ପିଟା ପିଟି ହୋଇଥିଲା । ରୋଷେଇରେ ବ୍ୟବହାର ଚଟୁ, ବେଲା ସହ ବିଭିନ୍ନ ସାମଗ୍ରୀରେ ମାଡ଼ ହୋଇଥିଲା । ଏହି ସମୟରେ ଡ଼ୁଲୁରୀ ଅଞ୍ଚଳରେ ଅନ୍ୟ ପର୍ୟ୍ୟଟକମାନେ ମଧ୍ୟ ରୋଷେଇ କରୁଥିବା ବେଳେ ବହୁ ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଥିଲା ।
ପରିବାର ନେଇ ଆସିଥିବା ପର୍ୟ୍ୟଟକ ବଣ ଭୋଜି କରୁଥିବା ବେଳେ ଭୋଜି ରାନ୍ଧି ମଧ୍ୟ ଖାଇପାରିନଥିଲେ । ଭୟ ଓ ଆତଙ୍କ ଭିତରେ ପର୍ୟ୍ୟଟକ ଡ଼ୁଲୁରୀ ସ୍ଥାନ ଛାଡି ଚାଲିଯାଇଥିଲେ । ପରିସ୍ଥିତି ଏମିତି ହେଲା ଯେ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଗଣ୍ଡଗୋଳକୁ ବନ୍ଦ କରିବାକୁ ଯାଇଥିବା କିଛି ଯୁବକ ଓ ପର୍ୟ୍ୟଟକ ଆହତ ହୋଇଥିଲେ । ଡ଼ୁଲୁରୀ ପର୍ୟ୍ୟଟନ କ୍ଷେତ୍ରର ପରିଚାଳକ ସଞ୍ଜୀବ ପ୍ରଧାନ ତୁରନ୍ତ ପ୍ଳିହେରୀ ସରପଞ୍ଚ ପାଉଲ ପ୍ରଧାନଙ୍କୁ ଫୋନରେ ଜଣାଇବା ପରେ ସରପଞ୍ଚ ତୁରନ୍ତ ଦାରିଙ୍ଗବାଡି ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ୨ ଗୋଷ୍ଠିଙ୍କୁ ଝଗଡା ବନ୍ଦ କରିବାକୁ ଉଦ୍ୟମ କରିଥିଲେ ହେଁ ପ୍ରବଳ ଗଣ୍ଡଗୋଳକୁ ଦେଖି ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ୨ ଗୋଷ୍ଠିର କିଛି ଯୁବକଙ୍କୁ ନେଇ ଥାନାରେ ରଖି ଅଧିକ ତଦନ୍ତ କରୁଥିବା ଓ ଅତ୍ୟଧିକ ନିଶାସକ୍ତ ଯୋଗୁଁ ଏଭକି ଘଟଣା ଘଟିଥିବା ଦାରିଙ୍ଗବାଡି ଥାନା ଅଧିକାରୀ କହିଛନ୍ତି ।
ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଆଜି ସୋମବାର ସକାଳେ ଉକ୍ତ ଡୁଲୁରୀ ପାଇନ୍ ବଣ ଖାଁ ଖାଁ ହୋଇପଡ଼ିଛି। ପର୍ୟ୍ୟଟକ ମାନେ ଭୟଭୀତ ହୋଇ କାଁ ଭାଁ ଆସିଛନ୍ତି। ପ୍ରକାଶ ଯେ, ଉକ୍ତ ପର୍ୟ୍ୟଟନ କ୍ଷେତ୍ରକୁ ବଣଭୋଜି ସହ ବୁଲାବୁଲି ପାଇଁ ପର୍ୟ୍ୟଟକ ଅଧିକ ପସନ୍ଦ କରନ୍ତି। ଭୋର ସମୟରେ ହିଁ ପର୍ୟ୍ୟଟକ ରାଜ୍ୟ ଓ ରାଜ୍ୟ ବାହାରୁ ବସ୍ ସମେତ ବିଭିନ୍ନ କାର, ଜିପ୍ରେ ସେଠାରେ ପହଞ୍ଚି ଯାଉଥିବା ବେଳେ କିନ୍ତୁ ସୋମବାର ଏହା କମିଛି। ଏବେ ଶୀତ ଛୁଟି ଆସନ୍ତା ୧ ତାରିଖ ପର୍ୟ୍ୟନ୍ତ ରହିଥିବାରୁ ସ୍କୁଲ, କଲେଜ ସବୁ ଛୁଟି ରହିଛି ଛୁଟିର ମଜା ନେବାକୁ ପର୍ୟ୍ୟଟକ ଆସନ୍ତା ୫ ପର୍ୟ୍ୟନ୍ତ ସବୁ ହୋଟେଲ ଲଜ ବୁକିଂ କରୁଥିବା ବେଳେ ଦିନରେ ଆସି ଫେରି ଯାଉଥିବା ପର୍ୟ୍ୟଟକମାନେ ମଧ୍ୟ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ୍ ବଣରେ ଭୋଜିଭାତ କରୁଥିବା ନଜିର ରହିଥିଲେ ସୁଦ୍ଧା ରବିବାର ଘଟଣା ପରେ ସୋମବାର ଏହି ସଂଖ୍ୟା କମିବା ଚିନ୍ତା ଜନକ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ସନ୍ଧ୍ୟା ସୁଦ୍ଧା ପର୍ୟ୍ୟଟକ ମାନେ କମ୍ ଆସିଥିବା ବିଷୟ ଡୁଲୁରୀ ପର୍ୟ୍ୟଟନ କ୍ଷେତ୍ରର ପରିଚାଳକ ସଞ୍ଜୀବ ପ୍ରଧାନ କହିଛନ୍ତି।
