ଢେଙ୍କାନାଳ, ୦୮/୧୦/୨୦୨୪ (ଓଡ଼ିଶା ସମାଚାର)- ଦିନସାରା ବୁଲିବୁଲି ଟାର୍ଗେଟ କରୁଥିଲେ ନିଛାଟିଆ ଓ ଗୋଟିକିଆ ଘରକୁ । ରାତ୍ରିର ଅନ୍ଧକାର ଭିତରେ ଘର ଝରକା କିମ୍ଵା ଗ୍ରିଲ କାଟି ଖାଲି କରୁଥିଲେ ଘରେ ଥିବା ସୁନା, ରୁପା ଅଳଙ୍କାର ସମେତ ନଗଦ ଟଙ୍କା। ଚୋରି ପରେ ତୁରନ୍ତ ସେମାନେ ସେହି ସ୍ଥାନ ଛାଡି ଅନ୍ୟ ଅଞ୍ଚଳକୁ ଚାଲିଯାଉଥିଲେ । ଦୀର୍ଘ ୬ମାସ ଏମାନଙ୍କ ଉପରେ ନଜର ରଖିବା ପରେ ଶେଷରେ ଢେଙ୍କାନାଳ ପୋଲିସ ହାତରେ ଧରାପଡିଛନ୍ତି ଏହି ୮ ଜଣିଆ ଚୋର ଗ୍ୟାଙ୍ଗ । ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଏସ୍.ପି ଅଭିନବ ସୋନକର ଏକ ସାମ୍ବାଦିକ ସମ୍ମିଳନୀ କରି ୨୦୦୬ ମସିହାରୁ ରାଜ୍ୟର ଅନୁଗୁଳ, ନୟାଗଡ, କଟକ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୪୫ ରୁ ଉର୍ଦ୍ଧ୍ଵ ସୁନା ଓ ରୁପା ଚୋରି ଅଭିଯୋଗ ଥିବାବେଳେ ଖୋର୍ଦ୍ଧା, ଭୁବନେଶ୍ୱର ସାଲିଆସାହି, ପଟିଆ,ବୋତଣ୍ଡା,ବାଙ୍କି, ତିଗିରିଆ ଓ ଗଞ୍ଜାମ ବେଗୁନିଆପଡ଼ା ଅଞ୍ଚଳର ୮ଜଣକୁ ଢେଙ୍କାନାଳ ପୋଲିସ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଗ୍ୟାଙ୍ଗ ମୂଖ୍ୟ ବାଙ୍କି ଅଞ୍ଚଳର ବିଜୟ ସାହୁ ଥିବାବେଳେ ୨ଜଣ ଚୋରି ସାମଗ୍ରୀ ରଖିଥିବା ବ୍ୟକ୍ତି ମଧ୍ୟ ଅଛନ୍ତି । ଏମାନଙ୍କ ଠାରୁ ପ୍ରାୟ ୩୦୦ ଗ୍ରାମର ସୁନା ୫କେଜି ୩୦୦ ଗ୍ରାମର ରୁପା ଅଳଙ୍କାର ସମେତ ନଗଦ ୨ଲକ୍ଷ ଟଙ୍କା, ଗୋଟିଏ Swift Dzire ଓ ଗୋଟିଏ Enfield Bullet ସମେତ ୭ଟି ମୋବାଇଲ ଜବତ କରାଯାଇଛି।ସଦର ଏସଡିପିଓ ବିଭୂତି ଭୂଷଣ ମହାପାତ୍ର, କାମାକ୍ଷାନଗର ସେଡିପିଓ ସ୍ନେହାଶିଷ ସାହୁ, ସଦର ଥାନା ଅଧିକାରୀ ଦୀପକ ଲେଙ୍କା ଓ ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ନେତୃତ୍ଵରେ ୩ଟି ଟିମ ଗଠନ କରି ଏମାନଙ୍କୁ ଧରିବାରେ ଢେଙ୍କାନାଳ ପୋଲିସ ସକ୍ଷମ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି।