ଜବାବ ଦାଖଲ କରିବା ପାଇଁ ସରକାରଙ୍କୁ ନୋଟିସ
କଟକ ସଦର, ୩୧/୦୭/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ କିଛିଦିନ ତଳେ ରାଜ୍ୟ ସରକାର ସାଂସଦ ଓ ବିଧାୟକ ମାନେ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଵଦଳି ପାଇଁ ସୁପାରିଶ କରିପାରିବେ ବୋଲି ସରକାର ନୀତିଗତ ନିଷ୍ପତ୍ତି ନେଇଥିଲେ। ବଦଳି ଋତୁରେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ପ୍ରସ୍ତାବଗୁଡ଼ିକୁ ଜିଲ୍ଲାସ୍ତରୀୟ ବଦଳି କମିଟି ସମାନ ଦିନରେ ଫଏସଲା କରିବ ବୋଲି କୁହାଯାଇଥିଲା। ଗଣଶିକ୍ଷା ବିଭାଗ ପକ୍ଷରୁ ମେ’ ୧୩ରେ ଏ ସଂକ୍ରାନ୍ତରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଜାରି କରାଯାଇଥିଲା। ଏହି ପ୍ରସଙ୍ଗ ଏବେ ଯାଇ ହାଇକୋର୍ଟ ରେ ପହଂଚିଛି। ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାରକରି ହାଇକୋର୍ଟଙ୍କ ପକ୍ଷରୁ ଅନ୍ତରୀଣ ରହିତାଦେଶ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’୧୩ରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଦଳି ନିର୍ଦ୍ଦେଶନାମା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜାରି କରାଯାଇଥିଲା, ଯେଉଁଥିରେ ବିଧାୟକ ଏବଂ ଏମ୍ପିମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବଦଳି ପାଇଁ ସୁପାରିସ୍ କରିବା ଲାଗି ନିର୍ଦ୍ଦେଶ ରହିଥିଲା। ତେବେ ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକ ବଦଳି ବ୍ୟବସ୍ଥା ପ୍ରଭାବିତ ହୋଇଥିବା ନେଇ ଏକ ଅଭିଯୋଗର ଶୁଣାଣି କରି ବିଚାରପତି ଦୀକ୍ଷିତ୍ କ୍ରିଷ୍ଣା ଶ୍ରୀପଦ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଏଥିସହିତ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବାକୁ ଧାର୍ୟ୍ୟ ହୋଇଛି। ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ଜିଲାର ଦୁଇଜଣ ଶିକ୍ଷକ ଙ୍କ ପକ୍ଷରୁ ହାଇକୋର୍ଟରେ ଏହି ବଦଳି ପ୍ରସଙ୍ଗରେ ଆବେଦନ କରାଯାଇଛି।
ସରକାର ଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ନାପସନ୍ଦ କରାଯାଉଥିବା ବେଳେ ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ରହିତାଦେଶ ଏବେ ଭିନ୍ନ ମୋଡ଼ ନେଇଛି।
