# ସରକାର ଦେବେ ମୋବାଇଲ
# କର୍ମକ୍ଷେତ୍ରରେ ମୃତୁ୍ୟ ହେଲେ ପରିବାରକୁ ୩୦ ଲକ୍ଷ
# ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଆମେ ପ୍ରତିବଦ୍ଧ
# ଶ୍ରୀଜଗନ୍ନାଥ ସଂସ୍କୃତିରେ ରହିଛି ସ୍ୱଚ୍ଛତା
# ପ୍ରତିବର୍ଷ ଓଡ଼ିଶାରେ ହେବ ଜାତୀୟ କର୍ମଶାଳା
ଭୁବନେଶ୍ୱର,୨୭/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ ବୈଠକ ନୁହେଁ, ଏହା ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ ରଖୁଥିବା ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଆମର ପ୍ରତିବଦ୍ଧତା । ସେମାନଙ୍କୁ ନ୍ୟାୟ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା ହେଉଛି ଆମର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଫେଇ କର୍ମଚାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଏକ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ।

ଏହି ଦୁଇ ଦିନିଆ କର୍ମଶାଳାର ବିଷୟବସ୍ତୁ ହେଉଛି ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ । ଭୁବନେଶ୍ୱର ଲୋକସେବା ଭବନର କନଭେନ୍ସନ ସେଂଟରରେ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
ସେଗୁଡିକ ହେଲା ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ପ୍ରମୁଖ ପରିମଳ କର୍ମଚାରୀ (ସ୍ୱରେଜ ଓ ସେଫ୍ଟିକ୍ ଟାଙ୍କି ସଫେଇ କର୍ମଚାରୀ) ଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା, କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ବାସଗୃହ ପ୍ରଦାନ ଏବଂ ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ IEC Activity କରାଯିବ । ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ୭ଟି ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଜିଲାରୁ ଆସିଥିବା ସରକାରୀ ଅଧିକାରୀ ଓ ସଫେଇ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଆମ ଜଗନ୍ନାଥ ସଂସ୍କୃତିରେ ସ୍ୱଚ୍ଛତା ବିଷୟରେ ମଧ୍ୟ ଦର୍ଶାଯାଇଛି । ରଥଯାତ୍ରା ସମୟରେ ଛେରାପହଁରା ଏହାର ଏକ ପ୍ରମୁଖ ଉଦାହରଣ । ଏଥିରେ ସଫେଇ କାର୍ଯ୍ୟର ମର୍ଯ୍ୟାଦା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ।

