ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ‘ଉତ୍କଳ ରତ୍ନ’ ସମ୍ମାନ
କଟକ ୨୭/୦୭/୨୦୨୫ (ଓଡ଼ିଶା ସମାଚାର)- ଭାଷା ଭିତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଭାଷା–ସାହିତ୍ୟର ବିକାଶ କ୍ଷେତ୍ରରେ ଉତ୍କଳ ସାହିତ୍ୟ ସମାଜ ପ୍ରମୁଖ ଭୂମିକା ପ୍ରଶଂସନୀୟ । ଏକ ଶତାବ୍ଦୀରୁ ଊଦ୍ଧ୍ୱ ସମୟ ଧରି ଏହି ଅନୁଷ୍ଠାନ ଭାଷା–ସାହିତ୍ୟର ଯେପରି ସେବା କରିଆସୁଛି ତାହା ଅନନ୍ୟ ବୋଲି ଉତ୍କଳ ସାହିତ୍ୟ ସମାଜର ୧୨୩ତମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଓଡ଼ିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପାଟି ପ୍ରକାଶ କରିଛନ୍ତି ।
‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବର୍ତନ ଉତ୍ସବରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ଶ୍ରୀଯୁକ୍ତ ହରିଚନ୍ଦନଙ୍କୁ ଅନୁଷ୍ଠାନର ରୁପାର ସ୍ମାରକୀ ଚିହ୍ନ, ତାମ୍ର ପ୍ରଶଂସାପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ ।
ସମ୍ମାନ ଗ୍ରହଣ କରି ଶ୍ରୀଯୁକ୍ତ ହରିଚନ୍ଦନ କହିଲେ ଯେ, ଜାତିକୁ ଜାଗ୍ରତ କରିବା ପାଇଁ ସାହିତି୍ୟକମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛନ୍ତି । ମାଟି, ମାଆ ଓ ମଣିଷର ସମ୍ମାନ ପାଇଁ ଲେଖକମାନଙ୍କର ବିଶେଷ ଭୂମିକା ରହିଛି । ଉତ୍ସବରେ ମୁଖ୍ୟବକ୍ତା ଭାବରେ ‘ଉତ୍କଳ ସାହିତ୍ୟ ସମାଜ’ର ପୂର୍ବତନ ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ଯୋଗଦେଇ ଉତ୍କଳ ସାହିତ୍ୟ ସମାଜ ଓଡ଼ିଆ ସାହିତ୍ୟକୁ ପ୍ରତିଷ୍ଠା ଦେବା କ୍ଷେତ୍ରରେ ଯେଉଁ ଅବଦାନ ରଖିଛି ତାହା ଅବିସ୍ମଣୀୟ ବୋଲି କହିଥିଲେ ।
ଉତ୍ସବରେ ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ୱାଗତ ଭାଷଣ, ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ମାନପତ୍ର ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମନୋଜ ପଟ୍ଟନାୟକ, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କୋଷାଧ୍ୟକ୍ଷ ଶିବାଶିଷ କର, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଆଦିତ୍ୟ ପ୍ରତାପ ବାଘସିଂହ, ଶ୍ରୀମତୀ ସରୋଜିନୀ ମିଶ୍ର, ତପନ କୁମାର ସ୍ୱାଇଁ, ଦିଲ୍ଲୀପ କୁମାର ଦାସ, ଶଶିକାନ୍ତ ରାଉତ, ମୁରଲୀଧର ଶତପଥୀ, ରାଧାଶ୍ୟାମ ରାଉଳ, ସୁକାନ୍ତ ପ୍ରସାଦ ନନ୍ଦ, ଡକ୍ଟର ସୁଶୀଳ କୁମାର ବାଗ୍, ସରୋଜ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ବହୁ ବିଶିଷ୍ଟ ସାହିତି୍ୟକ, ସାହିତ୍ୟପ୍ରେମୀ, ଶିକ୍ଷାବିତ୍, ସାମ୍ବାଦିକ ଯୋଗଦେଇଥିଲେ ।
