ମହାନ ଜନନେତା ଓ ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କ ଆଦର୍ଶକୁ ସ୍ମରଣ କରି ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

“ସେବା, ସରଳତା ଓ ସତ୍ୟନିଷ୍ଠତାର ଜୀବନ୍ତ ପ୍ରତୀକ ଡଃ ସଦାଶିବ ତ୍ରିପାଠୀ”

ଭୁବନେଶ୍ୱର,୨୧/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀ ଜଣେ ସତ୍ୟନିଷ୍ଠ ଓ ଆଦର୍ଶ ରାଜନେତା ଭାବେ ଓଡ଼ିଶାର ରାଜନୈତିକ ଇତିହାସରେ ଅମର ରହିବେ ବୋଲି ଏଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ମିଳିତ ସହଯୋଗରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ମାନ୍ୟବର ସାଂସଦ, ନବରଙ୍ଗପୁର ଶ୍ରୀଯୁକ୍ତ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ତ୍ରିପାଠୀଙ୍କ ଜୀବନାଦର୍ଶ ଓ ସମାଜପ୍ରତି ତାଙ୍କ ଅବଦାନକୁ ସ୍ମରଣ କରି କହିଲେ ଯେ ଏମିତି ନିଷ୍କଳଙ୍କ ଓ ନିର୍ମଳ ନେତୃତ୍ୱ ସମାଜ ପାଇଁ ସଦା ପ୍ରେରଣାଦାୟକ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସକ୍ରିୟ ଭୂମିକା ଓ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ନୀତିନିଷ୍ଠ ପ୍ରଶାସନ ଓଡ଼ିଶାର ଉନ୍ନତିରେ ମୂଲ୍ୟବାନ ଅବଦାନ ରଖିଛି ବୋଲି ସେ ଉଲ୍ଲେଖ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧାର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୁଭେନ୍ଦୁ ମହାନ୍ତି ଡଃ ତ୍ରିପାଠୀଙ୍କ ଜୀବନ, ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଓ ରାଜନୀତିକ ଜୀବନର ପରିଚାଳନା ବିଷୟରେ ବିସ୍ତାରିତ ଆଲୋଚନା କରିଥିଲେ। ସମାଜରେ ନ୍ୟାୟ, ସମତା ଓ ଲୋକଙ୍କ ପ୍ରତି ତାଙ୍କ ଅବଦାନ ଚିରସ୍ମରଣୀୟ ବୋଲି ସେ କହିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଡଃ ସଦାଶିବ ତ୍ରିପାଠୀଙ୍କ ନିଃସ୍ୱାର୍ଥପର ସେବା, ସରଳତା ଓ ଆଦର୍ଶମୂଳକ ଜୀବନ ଆଜିର ସମାଜ ପାଇଁ ଏକ ଦିଗଦର୍ଶକ ବୋଲି ଉଲ୍ଲେଖ କରିଥିଲେ।

ଶବରୀ ସାଂସ୍କୃତିକ ସଂସଦର ଉପସଭାପତି ଇଞ୍ଜିନିୟର ଗୋଦାବରିଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ।

ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଡଃ ସଦାଶିବ ତ୍ରିପାଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂହ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶ୍ରୀ ଅଶ୍ୱିନୀ ଭୋଇ, ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣି ଓ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ, ଶବରୀ ସାଂସ୍କୃତିକ ସଂସଦର ସଦସ୍ୟମାନେ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

-0-

ଅନିଶା କର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *