ଭୁବନେଶ୍ୱର,୨୪/୦୭/୨୦୨୫ (ଓଡ଼ିଶା ସମାଚାର)-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିବାବେଳେ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଆସନ୍ତା କାଲି ଶୁକ୍ରବାର ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବାର ସମ୍ଭାବନା ରହିଛି। ପରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଏହା ଗତି କରିବା ସହ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତରଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳମୁହାଁ ହୋଇପାରେ।
ଏହାର ପ୍ରଭାବରେ ଆସନ୍ତା ୫/୬ ଦିନ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୨ଦିନ ବିଭିନ୍ନ ଜିଲାରେ ଅତିରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ରେଡ୍ ଓ୍ବାର୍ଣ୍ଣିଂ ରହିଛି।
ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍ସିଂହପୁର, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଆଦି ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ପାଇଁ ଦେବଗଡ଼, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ଅନୁଗୋଳ ଓ ପୁରୀ ଆଦି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ବଜ୍ରପାତ ପାଇଁ ଝାରସୁଗୁଡ଼ା, ବରଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଆଦି ଜିଲାକୁ ସତର୍କ ସୂଚନା ଦିଆଯାଇଛି।
