ପେସା ଆଇନ ସମ୍ବନ୍ଧିତ ନିୟମାବଳୀ ପ୍ରଣୟନର ଅଗ୍ରଗତି ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ

“ଅନୁସୂଚିତ ଜନଜାତିଙ୍କ ଅଧିକାର ଓ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଆମେ ସମର୍ପିତ” : ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ

 ଭୁବନେଶ୍ୱର,୨୨/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ପେସା ଆଇନ ସମ୍ବନ୍ଧିତ ନିୟମାବଳୀ ପ୍ରଣୟନର ଅଗ୍ରଗତି ସମୀକ୍ଷା କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।  ଏହି ବୈଠକରେ ରାଜ୍ୟରେ ‘ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମ (ପେସା )ଆଇନ-୧୯୯୬’କୁ ଲାଗୁ କରାଯିବା ପାଇଁ ଅବବଶ୍ୟକୀୟ ନିୟମାବଳୀର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

          ଭୁବନେଶ୍ବର ଲୋକସେବା ଭବନର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ରାଜ୍ୟରେ ଲାଗୁ ହେବାକୁଥିବା  ପେସା ଆଇନ ସମ୍ବନ୍ଧିତ ନିୟମାବଳୀର ସମସ୍ତ ଆନୁଷଙ୍ଗିକ ଦିଗ ଉପରେ ସମୀକ୍ଷା କରିଥିଲେ ।  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବ୍ୟତୀତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଅବକାରୀ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଗୁଡିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

          ବର୍ତ୍ତମାନ ଚିଠା ସ୍ତରରେ ରହିଥିବା ଏହି ନିୟମାବଳୀର ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ଏଥିରେ ଅନୁସୁଚିତ ଜନଜାତିଙ୍କ ଅଧିକାରକୁ କେନ୍ଦ୍ରରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସେମାନଙ୍କ ଅଧିକାର ଓ ସମ୍ମାନକୁ ନିଶ୍ଚିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ ପ୍ରକାଶ କରିଥିଲେ । ଏହି ନିୟମାବଳୀ ଯେପରି ରାଜ୍ୟର ଅନୁସୁଚିତ ଜନଜାତିଙ୍କ  ସାମାଜିକ- ଅର୍ଥନୈତିକ ବିକାଶ ଏବଂ ବିକାଶ ପ୍ରକ୍ରିୟାରେ ସେମାନଙ୍କ ଭାଗୀଦାରୀ ଓ ଗଣତାନ୍ତ୍ରିକ ମତର ପ୍ରତିଫଳନ ହେବ ତାହା ସୁନିଶ୍ଚିତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘଦିନରୁ ରାଜ୍ୟର ଅନୁସୁଚିତ ଜନଜାତି ଏହା ଦାବି କରି ଆସୁଛନ୍ତି ଓ ଏହା ସେମାନଙ୍କ ଆଶା ଆକାଂକ୍ଷlକୁ ପୂରଣ କରିବ ବୋଲି ସେ ପ୍ରକାଶ କରିଥିଲେ ।

          ଏହି ବୈଠକରେ  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ଏସ ଏନ. ଗିରିଶ, ଏସଆଇଆରଡ଼ି ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା, ପଞ୍ଚାୟତିରାଜ ନିର୍ଦ୍ଦେଶକ ଡକ୍ଟର ମହେଶ୍ବର ସ୍ବାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହି ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ ।

-0-

ବିନାୟକ ମିଶ୍ର ,ଲୋକସମ୍ପର୍କ ଅଧିକାରୀ ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *