ଭାରତୀୟ ଯୋଗ ସଂସ୍ଥାନ ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ  ୫୯ତମ ଯୋଗ ଦିବସ ପାଳିତ

ଭୁବନେଶ୍ୱର, ୧୧/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୟାପଲ୍ଲୀ ଯୋଗ ଜିଲ୍ଲା ଅଧୀନରେ ଥିବା  ୧୩ଟି ଯୋଗକେନ୍ଦ୍ରର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଆଇ.ଆର.ସି  ଭିଲେଜ୍ ସ୍ଥିତ ଏନ୍୪ ପାର୍କ ପରିସରରେ  ଅତି  ଉତ୍ସାହ ଓ ଆନନ୍ଦପୂର୍ଣ୍ଣ ପରିବେଶରେ “୫୯ତମ ଯୋଗ ଦିବସ ” ପାଳନ କରାଯାଇଛି ।  ଏହି ଅବସରରେ ସକାଳର ସୂର୍ଯ୍ୟୋଦୟ ସହିତ ଜିଲ୍ଲା ଯୋଗକେନ୍ଦ୍ର ପରିସରରେ ବିଶାଳ ଯୋଗ ଶିବିର ଆୟୋଜିତ କରାଯାଇଥିଲା।

          କାର୍ଯ୍ୟକ୍ରମରେ ଯୋଗଗୁରୁମାନେ  ବିଭିନ୍ନ ଆସନ ଓ ପ୍ରାଣାୟମ ର ମହତ୍ତ୍ୱ ବୁଝାଇବା ସହିତ ଏହାର ଅଭ୍ୟାସ କରାଇଥିଲେ। ସମସ୍ତ ଅଂଶଗ୍ରହଣକାରୀ ସକାଳର ଶାନ୍ତ ପରିବେଶରେ ଭଜନ ଓ ଯୋଗ ଗୀତ ର ତାଳେ ତାଳେ ଯୋଗ ଆଭ୍ୟାସ କରି ଶାରୀରିକ ଏବଂ ମାନସିକ ସୁସ୍ଥତା ଅନୁଭବ କରିଥିଲେ।

         ଭାରତୀୟ ଯୋଗ ସଂସ୍ଥାନ ସମଗ୍ର ବିଶ୍ୱକୁ ଏକ ପରିବାର ବୋଲି ଭାବେ ଏବଂ ପ୍ରତ୍ୟେକ ଲୋକଙ୍କୁ  ସୁସ୍ଥ ଏବଂ ନିରୋଗ ରଖିବାକୁ ସଂକଳ୍ପବଦ୍ଧ। “ଯୋଗ– ସୁସ୍ଥ ଜୀବନର ଆଧାର” ସନ୍ଦେଶ ସହିତ ନୟାପଲ୍ଲୀ ଯୋଗ ଜିଲ୍ଲାର ଏହି ସଫଳ ଆୟୋଜନ ଯୋଗ ପ୍ରତି ସମାଜର ଆଗ୍ରହ ଓ ସଚେତନତା ବୃଦ୍ଧି କରିବ ବୋଲି ଯୋଗ ସଂସ୍ଥାନର କର୍ମକର୍ତ୍ତାମାନେ ଆଶାପ୍ରକାଶ କରିଛନ୍ତି ।

          ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର, ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର, ଜିଲ୍ଲା ପ୍ରଧାନ ଶ୍ରୀ ପ୍ରଦୀପ୍ତ ମହାନ୍ତି  , ଜିଲ୍ଲା ଉପ ପ୍ରଧାନ ଶ୍ରୀ ରାମ କିଶୋର ଶର୍ମା, ଜିଲ୍ଲା ମନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଶୁଭ୍ରାସିମା ମହାନ୍ତି ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *