ନିମାପଡ଼ା ୦୪/୦୬/୨୦୨୫ (ଓଡ଼ିଶା ସମାଚାର)- ୪ ଓ ୫ ତାରିଖରେ ହେବାକୁ ଥିବା ଉତ୍କର୍ଷ ନିମାପଡ଼ା ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ଏହି ପ୍ରତିଯୋଗିତା ଦ୍ୱାରା ମହିଳାମାନେ କାର୍ଯ୍ୟକ୍ରମକୁ ନେଇ ଅତ୍ୟନ୍ତ ଉତ୍ସାହିତ ଥିବା ଦେଖାଯାଇ ଥିଲା। ନିମାପଡ଼ା ଟାଉନ ହଲ ପରିସରରେ ବ୍ଲକ ପକ୍ଷରୁ ଆୟୋଜିତ ଏହି ଖାଦ୍ୟ ପ୍ରତିଯୋଗିତାରେ ୩୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନାମାଙ୍କନ କରିଥିବା ବେଳେ ୨୮ଟି ଗୋଷ୍ଠୀ ଭାଗନେଇ ବିଭିନ୍ନ ପ୍ରକାର ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ।
ଆରିସା,କାକରା, ପୋଡ଼ ପିଠା, ଛେନା ମଣ୍ଡା, ଚକୁଳି, ଚିତଉ, ପୁର ଚକୁଳି, ସରୁ ଚକୁଳି, ଛୁଞ୍ଚି ପତ୍ର ପିଠା, ହଳଦୀ ପତ୍ର ପିଠା, ଖିରି ସମେତ ଖେଚୁଡ଼ି, କାନେକା, ଡାଲମା, ବୁଟ ତରକାରୀ, ବଢ଼ି ଚୁନା, ସଜନା ଶାଗ, ମାଣ୍ଡିଆ ଯାଉ, କଖାରୁ ଫୁଲ ପୀଠଉ ଆଦି ୫୦ରୁ ଉର୍ଦ୍ଧ୍ୱ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ବିଡ଼ିଓ ଡ଼ଃ ଅଭିଜିତ ଷଡ଼ଙ୍ଗୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବନ୍ଦିତା ଦଳସିଂ,ସିଡିପିଓ ମାଧବୀ ମହାପାତ୍ର ଏବଂ ନିମାପଡ଼ା ମହାବିଦ୍ୟାଳୟ ଅଧ୍ୟାପକ ସୁବ୍ରତ କୁମାର ମହାନ୍ତି ବିଚାରକ ଭାବେ ଯୋଗଦେଇ ଖାଦ୍ୟର ମାନ, ସ୍ୱାଦ,ପ୍ରସ୍ତୁତି ସମ୍ପର୍କରେ ବୁଝି ମାର୍କ ଦେଇଥିଲେ।
ଗୋଷ୍ଠୀ ମାନଙ୍କ ମଧ୍ୟରୁ ଯେଉଁମାନେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିବେ ସେମାନେ ସମ୍ମିଳନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସହ ଆଗାମୀ ଜିଲ୍ଲାସ୍ତରୀୟ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହେବେ। ଅନ୍ୟମାନଙ୍କ ମଧ୍ୟରେ ଏନଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ସାଂସଦ ପ୍ରତିନିଧି ମୀନଲତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
