ଗୋପୀନାଥ ମହାନ୍ତି ହେଉଛନ୍ତି ଓଡ଼ିଆ ସାହିତ୍ୟ ଜଗତର ଅମ୍ଳାନ ପ୍ରତିଭା

ଭୁବନେଶ୍ୱର,୨୧/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଗୋପୀନାଥ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ସହଯୋଗରେ ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରଖ୍ୟାତ ଔପନ୍ୟାସିକ ପଦ୍ମଭୂଷଣ ଗୋପୀନାଥ ମହାନ୍ତିଙ୍କ ୧୧୨ତମ ପୁଣ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ୩୫ତମ ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ସୁପ୍ରତିଷ୍ଠିତ ଲେଖିକା ଡ଼. ନମିତା ଗୋଖଲେ, ଜ୍ଞାନପୀଠ ପୁରସ୍କାର ବିଜେତା ସାହିତ୍ୟିକା ଡ଼. ପ୍ରତିଭା ରାୟ, ଗୋପୀନାଥ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଅମୃତ ନାଥ ମହାନ୍ତି, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କୁମାରୀ ବିଶ୍ୱାଳ ରାଉତ, ଶିକ୍ଷାବିତ୍‌ ଡ଼. ଓମକାର ନାଥ ମହାନ୍ତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

“ଗୋପୀନାଥ ମହାନ୍ତିଙ୍କ ସାରସ୍ୱତ କୃତି ଆମ ଓଡ଼ିଆ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଛି। ନିଜର ସାହିତ୍ୟ ସର୍ଜନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଜ୍ଞାନପୀଠ ପୁରସ୍କାର ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଡ଼. ଗୋପୀନାଥ ମହାନ୍ତିଙ୍କ “ପରଜା”, “ଦାନାପାଣି”, “ଦାଦି ବୁଢ଼ା”, “ଅମୃତର ସନ୍ତାନ”, “ମାଟି ମଟାଳ” ଆଦି ସାରସ୍ୱତ କୃତି ସାହିତ୍ୟ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଗୋପୀନାଥ ମହାନ୍ତି ହେଉଛନ୍ତି ଓଡ଼ିଆ ସାହିତ୍ୟ ଜଗତର ଅମ୍ଳାନ ପ୍ରତିଭା। ଆଜିର ଯୁବପିଢ଼ି ଓ ଯୁବ ସାହିତ୍ୟିକମାନେ ଗୋପୀନାଥଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ସାହିତ୍ୟକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ନିଜର କାର୍ଯ୍ୟ ଜାରି ରଖନ୍ତୁ”, ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପରିଚାଳନା କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *