ପିପିଲି,୧୯/୦୭/୨୦୨୫ (ଓଡ଼ିଶା ସମାଚାର)- ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁକ୍ତ ଦୁଇରେ ପାଠ ପଢୂଥିବା ନାବାଳିକା ଛାତ୍ରୀ ଙ୍କ ଦେହରେ ୩ ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି । ଝିଅର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି ।
ତେବେ କେଉଁ କାରଣରୁ ଦୁର୍ବୃତ୍ତମାନେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ପୁରୀ ଏସ୍ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ, ସ୍ପର୍ଶକାତର। ତେଣୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛୁ। ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ସ୍ପଷ୍ଟ ହୋଇନି। ଏଥିରେ କେତେଜଣ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ, ତାହାର ତଦନ୍ତ ଚାଲିଛି। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି।
ପ୍ରମାଣ ମିଳିଲେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି ନି କହିଛନ୍ତି। ଉକ୍ତ ଘଟଣାରେ ବର୍ତମାନ ସୁଦ୍ଧା କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି। ତେବେ ନାବାଳିକାଙ୍କ ଉପରେ କିଏ ଓ କାହିଁକି ନିଆଁ ଲଗାଇ ଦେଇଥିଲେ ସେନେଇ ତନାଘନା ଆରମ୍ଭ ହୋଇଛି । ପୁରୀ ଏସପିଙ୍କ ସହ ଉପଜିଲ୍ଲାପଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ନାବାଳିକାଙ୍କ ପରିବାରକୁ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ପୁରୀ ଉପ ଜିଲ୍ଲାପାଳ ୩୦ ହଜାର ଟଙ୍କାର ଚେକ୍ ଦେବା ସହ ନିମାପଡ଼ା ବିଡିଓ ୧୫ ହଜାର ଟଙ୍କାର ସହାୟତା ଦେଇଛନ୍ତି। ଉଭୟେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।
