ବ୍ରଟ୍ ଓଭର ୱାର୍କଚାର୍ଜଡ୍ କର୍ମଚାରୀଙ୍କ ପେନସନ୍ ଦାବିରେ ଧାରଣା ୨୯ ଦିନରେ

ଭୁବନେଶ୍ୱର,୦୨/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥ ଲୋୟର ପି.ଏମ୍.ଜି.ଠାରେ କୌଣସି ପେନସନ୍ ପାଉନଥିବା ବ୍ରଟ୍ ଓଭର ୱାର୍କଚାର୍ଜଡ୍ ଓ ରେଗୁଲାର କର୍ମଚାରୀମାନେ ପେନସନ୍ ଦାବିରେ ଲୋୟର ପି.ଏମ୍.ଜି. ଗାନ୍ଧୀମାର୍ଗଠାରେ ଶୀତ କାକରରେ ଦୀର୍ଘ ୨୯ ଦିନ ଧରି ପଡ଼ିରହିଛନ୍ତି । ପାଂଚଗୋଟି ଇଂଜିନିୟରିଂ ବିଭାଗ ଯଥା- ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ଜଳସମ୍ପଦ, ପୂର୍ତ ଓ ପଂଚାୟତିରାଜ ସଂସ୍ଥାଗୁଡ଼ିକର ମେଂଟ ରାଜ୍ୟ ଇଂଜିନିୟରିଂ ୱାର୍କଚାର୍ଜଡ୍ / ନିୟମିତ / ସେବା ନିବୃତ କର୍ମଚାରୀ ଫୋରମ୍ ପେନସନ୍ ଯୋଗ୍ୟ ଅବହେଳିତ ଅବସର କର୍ମଚାରୀ ୩୦ରୁ ୪୦ ବର୍ଷ ଧରି ସରକାରୀ କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିବା ବେଳେ ଅବସର ପରେ ଦୟନୀୟ ଜୀବନ ଯାପନ କରୁଛନ୍ତି ।

ଏଚ୍.ଆର.ଏମ୍.ଏସ୍. ପୋର୍ଟାଲ୍ ରେ ଏହି କର୍ମଚାରୀଙ୍କ ନାମ ଯୋଡ଼ିହୋଇଥିବାରୁ ସରକାରଙ୍କର ଘୋଷିତ କୌଣସି ସାମାଜିକ ସୁରକ୍ଷା ପାଉନାହାଁନ୍ତି । ପରିଣତ ଜୀବନରେ ବଂଚିବାର ରାହା ନ ପାଇ ରାଜରାସ୍ତା କଡ଼ରେ ଦିନରାତି ଧାରଣାରେ ବସିଛନ୍ତି । ତଳ ଶ୍ରେଣୀର କର୍ମଚାରୀ ସରକାର ତିଆରି କରୁଥିବା ନିୟମକୁ କାର୍ଯ୍ୟକାରୀ ନ କରି ଏଭଳି କର୍ମଚାରୀଙ୍କୁ ହଇରାଣ ହରକତ କରିଚାଲିଛନ୍ତି । ୱାର୍କଚାର୍ଜଡ୍ ନିୟମ ଅନୁସାରେ ୫ ବର୍ଷ ଚାକିରୀ ପୂରଣ କରିଥିବା ହେତୁ ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ୧୯୯୨ରେ ପେନସନ୍ ଦେବାପାଇଁ ସରକାରଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବାରେ ସରକାର କାଳକ୍ଷେପଣ ନୀତି ଆପଣାଉଛନ୍ତି ଏବଂ ନିସ୍କି୍ରୟତା ଦେଖାଉଥିବା ଯୋଗୁଁ ବ୍ରଟ ଓଭର ୱାର୍କଚାର୍ଜଡ୍ ମାନଙ୍କୁ ଜାଣିଶୁଣି ସାମାଜିକ ସୁରକ୍ଷାରେ ଦୂରେଇ ଦେଇଛନ୍ତି ।

ଫୋରମ୍ ର ମୁଖ୍ୟ ସଂଯୋଜକ କପିଳେଶ୍ୱର ବାରିକ, କୋଅର୍ଡିନେଟର ପ୍ରଶାନ୍ତ ମହାନ୍ତି, ପ୍ରସନ୍ନ ପ୍ରଧାନ, ଆଶିଷ ନନ୍ଦ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ନେତୃମଣ୍ଡଳୀ ବ୍ରଟଓଭର ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ତୁରନ୍ତ ପେନସନ୍ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ପୁନର୍ବାର ଦାବି କରୁଛନ୍ତି ଏବଂ ଆଗାମୀ ଦିନରେ ଖୁବ୍ ଶୀଘ୍ର ଯଦି ସରକାର ଦାବି ପ୍ରତି ଅଣଦେଖା କରନ୍ତି, ତେବେ ବ୍ରଟ ଓଭର ୱାର୍କଚାର୍ଜଡ୍ କର୍ମଚାରୀମାନେ ଓ ଅବସରପ୍ରାପ୍ତ କର୍ମଚାରୀମାନେ ସପରିବାର ରାଜରାସ୍ତାକୁ ଓହ୍ଲାଇ ଆମରଣ ଅନଶନ କରିବାକୁ ଆସନ୍ତା ୧୫ ତାରିଖରୁ ପ୍ରସ୍ତୁତ ହେଉଥିବାରୁ ସରକାର ଏମାନଙ୍କ ଦାବି ପ୍ରତି ଶୀଘ୍ର ବିଚାର କରି ନ୍ୟାୟ ପ୍ରଦାନ କରିବାକୁ ନିଷ୍ପତି ନେବେ, ନଚେତ୍ ଆଗାମୀ ଦିନରେ ଅନଶନ ଯୋଗୁଁ ଯାହା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଆବାହକ କୃଷ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *