ସମାବେଶୀ ଅଭିବୃଦ୍ଧି ପାଇଁ ରଣନୀତି ପ୍ରସ୍ତୁତି ନିମନ୍ତେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ।

ନିଯୁକ୍ତି ସୃଷ୍ଟିକାରୀ ରପ୍ତାନୀ ଭିତ୍ତିକ ଅଭିବୃଦ୍ଧି ପାଇଁ ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର,୧୪/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ସମାବେଶୀ ବିକାଶ ନିମନ୍ତେ ମଧ୍ୟବର୍ତ୍ତୀ କାଳୀନ ଅଭିବୃଦ୍ଧି ନିମନ୍ତେ ରଣନୈତିକ ପଦକ୍ଷେପ,ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬ ଏବଂ ଏଥିପାଇଁ ଆବଶ୍ୟକ ପରାମର୍ଶ ନିମନ୍ତେ ପରାମର୍ଶଦାତା ପରିଚାଳନା କମିଟି (ସିଏମସି)ବୈଠକ ଆଜି ଲୋକସେବା ଭବନ ଠାରେ ରାଜ୍ୟଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬ର ରୂପରେଖ ଏବଂ ନିଯୁକ୍ତି ସୃଷ୍ଟିକାରୀ ରପ୍ତାନୀ ଭିତ୍ତିକ ଅଭିବୃଦ୍ଧି ପାଇଁ ରାଜ୍ୟର ରଣନୈତିକ ପଦକ୍ଷେପ ନିଆଯିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

  ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିଶନର କହିଛନ୍ତି ଯେ, ଆମେ‘ବିକଶିତ ଓଡ଼ିଶା ୨୦୩୬’ଓ‘ବିକଶିତ ଭାରତ ୨୦୪୭’କୁଲକ୍ଷ୍ୟ ରଖି ଭିଜନ ଡକ୍ୟୁମେଣ୍ଟ କାର୍ଯ୍ୟକାରୀ କରିବାରେ ଅଗ୍ରସର ହେଉଛୁ । ବର୍ତ୍ତମାନ  ଦେଶର ରପ୍ତାନୀ କ୍ଷେତ୍ରରେ ଓଡ଼ିଶାର ନିଯୁକ୍ତି ଭିତ୍ତିକ ରପ୍ତାନୀ ପ୍ରାୟ୧ଲକ୍ଷକୋଟି (ପ୍ରାୟ୩%) ରହିଥିବାବେଳେ ଭିଜନ ଡକ୍ୟୁମେଣ୍ଟ ଅନୁଯାୟୀ ୨୦୩୬ସୁଦ୍ଧା ଏହା ୩ଲକ୍ଷ୫୦ହଜାର କୋଟିରୁ୪ ଲକ୍ଷ ୫୦ହଜାର କୋଟି (ପ୍ରାୟ୫% ) ଏବଂ୨୦୪୭ ସୁଦ୍ଧା ଏହା ୨୫ଲକ୍ଷ କୋଟିରୁ ୨୭ଲକ୍ଷ କୋଟି ଛୁଇଁବାର ଲକ୍ଷ୍ୟ ରଖିଛି।

ଏଥିପାଇଁ ଆମର ବିଭିନ୍ନ କ୍ଷେତ୍ରରେ  ହେଉଥିବା ଉତ୍ପାଦନ, ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ସହ ନିଜସ୍ୱ ଉତ୍ପାଦନ ବୃଦ୍ଧି ପୂର୍ବକ ରାଜ୍ୟ ବାହାରୁ ଆମଦାନୀ ହ୍ରାସ କରିବା ସହିତ ରପ୍ତାନୀ ବୃଦ୍ଧି କରିବାର ଆବଶ୍ୟକତା ରହିଛି।ଏଥିସହିତ ଖଣିଜ୍ୟଦ୍ରବ୍ୟ, କଞ୍ଚାମାଲ ଆଦିରୁ ମଧ୍ୟବର୍ତ୍ତୀ ଉତ୍ପାଦ ପ୍ରସ୍ତୁତ ପୂର୍ବକ ମୂଲ୍ୟଯୁକ୍ତ ଉତ୍ପାଦନ ପ୍ରସ୍ତୁତ କରି ବୈଶ୍ୱିକ ମୂଲ୍ୟଶୃଙ୍ଖଳା (  ଗ୍ଲୋଗାଲ ଭ୍ୟାଲ୍ୟୁ ଚେନ୍ ) ଅଭିବୃଦ୍ଧି କରାଯିବା ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଭିତ୍ତିକ ରପ୍ତାନୀ ସମ୍ଭାବନା, ରଣନୈତିକ ପଦକ୍ଷେପ, ରପ୍ତାନୀରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆବଶ୍ୟକୀୟ ଇକୋସିଷ୍ଟମ ସୃଷ୍ଟି ଓ ଢାଞ୍ଚାଗତ ସଂସ୍କାର ପାଇଁ ସହଭାଗୀମାନଙ୍କ ସହ ନିୟମିତ ବୈଠକ କରି ପରାମର୍ଶ କରିବାର ଆବଶ୍ୟକତା ସଂପର୍କରେ ଉନ୍ନୟନ କମିଶନର ଗୁରୁତ୍ୱାରୋପ କରିଥିଲେ ।

ଓଡ଼ିଶାର ବ୍ଲୁ-ଇକୋନୋମିର ଗୁରୁତ୍ୱ, ଶିଳ୍ପ ଓ ସେବା କ୍ଷେତ୍ରରେ ୨୦୨୫-୨୬ ବର୍ଷ ପାଇଁ ଆଭିମୁଖ୍ୟ, ଭିତ୍ତିଭୂମି, ଶିକ୍ଷା, ଦକ୍ଷତା, ସମାଜିକ ବିକାଶକୁ ଗୁରୁତ୍ୱ ଦେବା ସହ ଅଭିବୃଦ୍ଧି କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଥିବା ପ୍ରମୁଖ ଦିଗ ପ୍ରତି ଦୃଷ୍ଟି ଦିଆଯିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆହୁରି ମଧ୍ୟ ଓଡିଶାର ରପ୍ତାନୀ ଭିତ୍ତିଭୂମି, ସାମର୍ଥ୍ୟ, ବନ୍ଦର ସୁବିଧା, ଶିଳ୍ପ ଆଭିମୁଖ୍ୟ  ସହ ସୁଦୃଢ ରପ୍ତାନୀ ଭିତ୍ତିକ ଅର୍ଥନୀତି ,  ସ୍ଥଳଭାଗ ପରିବେଷ୍ଠିତ ଛତିଶଗଡ଼, ଝାରଖଣ୍ଡ ଭଳିଅନ୍ୟ ରାଜ୍ୟକୁ  ଓଡ଼ିଶା  ସହଯୋଗିତା ଭିତ୍ତିରେ ରପ୍ତାନୀ ଭିତ୍ତିକ  ବିକାଶରେ ସହଯୋଗ କରିବା ସଂପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା ।

 ଯୋଜନା ଓ ସଂଯୋଜନ ବିଭାଗ ଦ୍ୱାରା ଆହୂତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ଥିବା ଇଲୋକଟ୍ରୋନିକ୍ସ ଓ ଆଇଟି  ବିଭାଗ ଏବଂ ଆଇନ ବିଭାଗର ପ୍ରମୁଖ ସଚିବ ଯୋଗଦେଇ ଆଲୋଚନାରେ ସକ୍ରିୟ  ଅଂଶଗ୍ରହଣ କରିଥିଲେ ।

-0-

ପଠାଣି ରାଉତ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *