ହୁରାସାହି କୋରୁଆ ରାସ୍ତା ଖାଲଖମାରେ ପୂର୍ଣ୍ଣ

ମରାମତି ପାଇଁ ଜିଲାପାଳଙ୍କୁ ଗୁହାରିକଲେ ଅଂଚଳବାସୀ
କେନ୍ଦ୍ରାପଡ଼ା, ୨୫/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମପଂଚାୟତର ହୁରାସାହି- କୋରୁଆ ଭାୟା ମାହାଳ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଯାଇଛି । ଫଳରେ ସେହି ରାସ୍ତାଦେଇ ଯିବାଆସିବା କରୁଥିବା ସ୍ଥାନୀୟ ୧୦ଟି ପଂଚାୟତର ଅଂଚଳବାସୀଙ୍କ ସମେତ ବାଟୋଇମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ରାସ୍ତା ମରାମତି ପାଇଁ ଅଂଚଳବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅଂଚଳବାସୀ କହିଛନ୍ତି ବଙ୍ଗାଳପୁର, ସାନଅଢଙ୍ଗା, ଓଢଙ୍ଗା, କଳାବୁଦା, ତଳକୁସୁମା, ତିକନପୁର, ବଡବେତରା, ମଧୁ ପ୍ରଭୃତି ଗ୍ରାମପଂଚାୟତର ଲୋକମାନେ ଏହି ରାସ୍ତା ଦେଇ ଚାନ୍ଦୋଳକୁ ଯାଇ ସେଠାରୁ କଟକ ଓ ଭୁବନେଶ୍ୱର ପ୍ରଭୃତି ସ୍ଥାନକୁ ଯାଇଥାନ୍ତି । ସେହିପରି ଏହି ରାସ୍ତାଦେଇ କେନ୍ଦ୍ରାପଡା ସଦର ମହକୁମାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଆସିଥାନ୍ତି । କିନ୍ତୁ ଏହି ରାସ୍ତାର ଅବସ୍ଥା ସଂଗୀନ ହୋଇପଡିବାରୁ ଲୋକମାନେ ଯିବାଆସିବା କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଖାଲଖମା ଯୋଗୁଁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ଏହାଦ୍ୱାରା ଲୋକେ ଆହତ ହେଉଛନ୍ତି । ବିଶେଷ କରି ସ୍କୁଲ ପିଲାମାନେ ଯିବାଆସିବା କରିବାରେ ହଇରାଣ ହରକତ ହେଉଛନ୍ତି । ସେହିପରି ବିଭିନ୍ନ ଗ୍ରାମର ବରିଷ୍ଠ ନାଗରିକମାନେ ମଧ୍ୟ ସାଇକେଲ କିମ୍ବା ବାଇକରେ ଯିବାଆସିବା କରିବାକୁ ସୁରକ୍ଷିତ ମନେକରୁ ନାହାନ୍ତି । କାରଣ ଏହି ରାସ୍ତାରେ ଥିବା ଖାଲଖମାରେ ଗାଡି ଚକା ପଡି ଗାଡି ନିୟନ୍ତ୍ରଣ ହରାଉଛି । ଫଳରେ ବରିଷ୍ଠ ନାଗରିକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ସାଇକେଲରେ ଯାଉଥିବା ବରିଷ୍ଠ ନାଗରିକ କୁଳମଣୀ ଦାସ କୁହନ୍ତି ରାସ୍ତା ଖାଲଖମା ନେଇ ଆମେ ସ୍ଥାନୀୟ ନେତା ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ । ହେଲେ ଏହାର ପ୍ରତିକାର ବ୍ୟବସ୍ଥା ନା ନେତା ନା ଅଧିକାରୀ କେହି କରିପାରୁନାହାନ୍ତି । ଫଳରେ ଆମେ ଦୁର୍ଘଟଣାର ଶିକାର ହେଉଛୁ । ଯୁଦ୍ଧକାଳିନ ଭିତିରେ ଏହି ରାସ୍ତା ମରାମତି କରାଯିବା ଉଚିତ । ଏହା ନହେଲେ ଆଗାମୀ ଦିନରେ ଦୁର୍ଘଟଣା ବୃଦ୍ଧି ପାଇବ ।

Leave a Reply

Your email address will not be published. Required fields are marked *