୧୭ କେଜିରୁ ଅଧିକ ଗଞ୍ଜେଇ ଜବତ
ଜଗତସିଂହପୁର, ୨୭/୧୧/୨୦୨୫ (ଓଡ଼ିଶା ସମାଚାର)- କୁଜଙ୍ଗ ଥାନା ଅନ୍ତର୍ଗତ ୧୫ ନମ୍ବର ଛକରୁ ୧୭ କେଜି ୧୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପାରାଦୀପ ଅବକାରୀ ରେଞ୍ଜ ଯାହାର ଆନୁମାନିକ ମୂଲ୍ୟ ୧,୭୧,୦୦୦/- ଟଙ୍କା ହେବ। ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ସକାଳେ ଏକ ଯାତ୍ରୀବାହି ବସ୍ ରେ ପାରାଦୀପକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ହେଉଥିବାର ଅବକାରୀ ବିଭାଗକୁ ଏକ ଗୁଇନ୍ଦା ଖବର ହସ୍ତଗତ ହୋଇଥିଲା । ଅବକାରୀ ଅଧିକ୍ଷିକା ଅନିତା ପ୍ରଧାନ ତତ୍ପରତା ପୂର୍ବକ ପାରାଦୀପ ଅବକାରୀ ରେଞ୍ଜ କୁ ସେହି ଚୋରାଚାଲାଣକାରୀକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସଙ୍ଗେସଙ୍ଗେ ପାରାଦୀପ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଙ୍କ ନେତୃତ୍ବରେ ବଛାବଛା ଅଧିକାରୀମାନଙ୍କୁ ନେଇ ଏକ ଟିମ ଗଠନ କରି ୧୫ ନମ୍ବର ଠାରେ ଜଗି ରହିଥିଲେ ଏବଂ ଅନ୍ୟ ଦୁଇଜଣ କର୍ମଚାରୀ ବସ କୁ ପିଛା କରିଥିଲେ। ବସଟି ୧୫ ନମ୍ବର ଠାରେ ପହଞ୍ଚିବାକ୍ଷଣି ସନ୍ଦିଗ୍ଧ ଯୁବକ ଜଣଙ୍କ ବସ ମଧ୍ୟରୁ ଏକ ବସ୍ତା ଧରି ବାହାରିଥିଲେ। ପୂର୍ବରୁ ଛକି ରହିଥିବା ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ହେପାଜତରୁ ଜବତ ହୋଇଥିବା ବସ୍ତାରୁ ୧୭ କେଜି ୧୦୦ ଗ୍ରାମର ଗଞ୍ଜେଇ ବାହାରିଥିଲା। ଅଭିଯୁକ୍ତ ଜଣକ ହେଲେ ତିର୍ତ୍ତୋଲ ଥାନା ପୋତାନଈ ଗ୍ରାମର ସାରଦା ପ୍ରସନ୍ନ ଦାସ (୩୧)।
ତାଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଯାଇଛି। ଜଗତସିଂହପୁର ଜିଲ୍ଲାରେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା ଏହା ଏକ ବଡ ପ୍ରଶ୍ନବାଚୀ। ଅଧିକ୍ଷିକା ଶ୍ରୀମତି ପ୍ରଧାନ କହିଛନ୍ତି ଯେ ଜବତ ଗଞ୍ଜେଇ କେଉଁଠୁ ଆସିଲା ଓ କେଉଁଠିକୁ ଯୋଗାଣ ହେଉଥିଲା ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟ ବିଷୟରେ ଅଧିକା ତଥ୍ୟ ଓଗାଳିବା ପାଇଁ ଅଭିଯୁକ୍ତଙ୍କ ରିମାଣ୍ଡ ରେ ଆଣି ଅବକାରୀ ବିଭାଗ ଜେରା କରିବ । ଆଜିର ଏହି ଅଭିଯାନରେ ପାରାଦୀପ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ଧର୍ମପଦ ଦାସ, ଏ ଏସା ଆଇ ଗୟାଧର ସେଠୀ, କନଷ୍ଟେବଳ ନବଘନ ମାରାଣ୍ଡି, ମନୋରଞ୍ଜନ ଦାସ, ସନ୍ତୋଷୀ ସାହୁ ପ୍ରମୁଖ ସାମିଲ ଥିଲେ।
