‘ଲେ ଲଵିନା, ଟିକେ ପଛକୁ ଅନା’ ଗୀତର ଗାୟକ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ ଆଉ ନାହାଁନ୍ତି, ସଙ୍ଗୀତ ଜଗତରେ ଶୋକର ଛାୟା

କଟକ ସଦର, ୧୩/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଲେ ଲଵିନା, ବାବାରେ ଆଲୁଅ, ବୋଉଲୋ ନାଁ ଓଲୋ, ଆକାଶର ବୁକୁ ଚିରି, ଚାଲିଲା ଗାଡ଼ି ବାଦାମବାଡ଼ି, ମାରିଦେଲି ଖପରକାତି, ଆସୁଛି ଆମସାହି ମେଢ଼ ଭଳି ଅନେକ ମନଛୁଆଁ ଗୀତ ଗାଇ ଓଡିଆ ଶ୍ରୋତାଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ ଆଉ ନାହାଁନ୍ତି। ପ୍ରକାଶ ଯେ ୮୦ ଦଶକରୁ ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରିଥିବା ଶ୍ରୀକାନ୍ତ ଦାସ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶେଷରେ ଗତକାଲି ଶନିବାର ବିଳମ୍ବିତ ରାତିରେ ୭୯ ବର୍ଷ ବୟସରେ ହୃଦଘାତରେ କଟକ ଶେଖବଜାର ସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି।

କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିଆ ଗ୍ରାମରେ ୧୯୪୬ ମସିହା ମେ’ ୧୬ ତାରିଖରେ ପିତା ସ୍ବର୍ଗତ ଚୈତନ୍ୟ ଦାସ ଓ ମାତା ସୁନ୍ଦରୀ ଦେବୀଙ୍କ ପୁତ୍ର ଥିଲେ ଶ୍ରୀକାନ୍ତ। ସେ ରେଭେନ୍‌ସା କଲିଜିଏଟ ସ୍କୁଲ ଓ ଷ୍ଟିଓ୍ବାର୍ଟ ସାଇନ୍ସ କଲେଜ, ଏମଏସ ଲ’ କଲେଜରେ ପାଠ ପଢ଼ିଥିଲେ। ୧୯୭୩ ମସିହାରୁ ୨୦୦୬ ପର୍ଯ୍ୟନ୍ତ ୟୁକୋ ବ୍ୟାଙ୍କରେ ଚାକିରି କରିଥିଲେ। କିନ୍ତୁ ତାଙ୍କର ନିଶା ଥିଲା ସଙ୍ଗୀତ। ଗୁରୁ ଅକ୍ଷୟ ମହାନ୍ତି, ଶାସ୍ତ୍ରୀୟ ଗୁରୁ ଆଦି ନାରାୟଣ ରାଓ ପ୍ରମୁଖଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରାଖଲ ଚନ୍ଦ୍ର ମହାନ୍ତି ଓ ସ୍ବରୂପ ନାୟକଙ୍କ ପ୍ରେରଣାରେ ଏକାଧିକ ଫିଲ୍ମର ପ୍ରଚ୍ଛଦପଟ ଗାୟକ ହିସାବରେ ସେ କଣ୍ଠଦାନ କରିଥିଲେ।ତାଙ୍କ ପରଲୋକରେ ଓଡିଆ ସିନେ ଜଗତରେ ଅପୂରଣୀୟ କ୍ଷତି ଘଟିଛି। ପରଲୋକ ଖଵର ପାଇ ବହୁ ବ୍ୟକ୍ତିବିଶେଷ ଙ୍କ ସହିତ ସଙ୍ଗୀତ ଜଗତର ବହୁ ଶ୍ରୀକାନ୍ତ ପ୍ରେମୀ ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *