କଟକ ସହରରେ ୧୦ରୁ ବୁଲିବ ଜୟ ଜଗନ୍ନାଥ ଅର୍ପଣ ରଥ – ପ୍ରତି ୱାର୍ଡରୁ ୨୦ ଭକ୍ତ ଯିବେ ପୁରୀ
କଟକ, ୦୯/୦୧/୨୦୨୪ (ଓଡ଼ିଶା ସମାଚାର)- ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଉପଲକ୍ଷେ ଆସନ୍ତା ୧୦ ତାରିଖରୁ ତିନି ଦିନ ବ୍ୟାପି ଜୟ ଜଗନ୍ନାଥ ଅର୍ପଣ ରଥ କଟକ ସହରର ପ୍ରତ୍ୟେକ ୱାର୍ଡ ପରିକ୍ରମା କରିବ । ସଂକୀର୍ତନ ମାଧ୍ୟମରେ ୧୦ଟି ଅର୍ପଣ ରଥ ନିଗମାଂଚଳର ୫୯ଗୋଟି ୱାର୍ଡରେ ବୁଲି ଭକ୍ତ ଓ ସେମାନଙ୍କ ପରିବାର ଠାରୁ ଅକ୍ଷତ ଓ ଗୁଆ ଗ୍ରହଣ କରିବାର କାର୍ଯ୍ୟକ୍ରମ ସ୍ଥôିର ହୋଇଛି । ଏହି ଅକ୍ଷତ ଓ ଗୁଆ ଗ୍ରହଣ ପରେ ପୁରୀ ଶ୍ରୀମନ୍ଦିରକୁ ପଠାଯିବ । ତା’ଛଡା ପ୍ରତ୍ୟେକ ୱାର୍ଡରୁ ମନୋନୀତ ହୋଇଥିବା ୨୦ ଜଣ ଭକ୍ତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବେ । କଟକ ମହାନଗର ନିଗମ(ସିଏମସି) ବିଜୁଭବନର ସମ୍ମିଳନୀ କକ୍ଷରେ ଏ ସଂପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି ମେୟର ଦମୟନ୍ତୀ ମାଝି, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏବଂ କର୍ପୋରେଟରମାନଙ୍କ ସମେତ ସିଏମସି ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏ ସଂପର୍କରେ ମଙ୍ଗଳବାର ସୁଦ୍ଧା ଏକ ରୁଟ୍ ପ୍ଲାନ୍ ପ୍ରସ୍ତୁତ ହେବ ବୋଲି ଅତିରିକ୍ତ କମିଶନର ସୋନା ଟୁଡୁ ସୂଚନା ଦେଇଛନ୍ତି ।