ମାହାଙ୍ଗା,୨୪/୧୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା)-ସାହିତ୍ୟ ପାଇଁ ଦୁହିଁଙ୍କ ଜୀବନ ଥିଲା ବେଶ ଗତିଶୀଳ । ଯେଉଁଠି ଥିଲା ମାନ-ଅଭିମାନ, ପ୍ରେମ ଓ ସୃଜନ । ସେମାନେ ଏକାଠି ସ୍ବପ୍ନ ଦେଖୁଥିଲେ । ଗପରେ କବିତାରେ ଅନୁବାଦରେ, ବାଗ୍ମୀତା ଓ ସୃଜନ ସମୀକ୍ଷାରେ ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ ଥିଲେ ଜଣେ ବହୁ ଚର୍ଚ୍ଚିତ ପୁରୁଷ । ପତ୍ନୀ ଝରଣା ଥିଲେ ତା’ଙ୍କ ସୃଜନ ଜୀବନର ଆଦ୍ୟ ଓଁକାର । ଓଡିଆ ଏବଂ ଇଂରାଜୀ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ପ୍ରାଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ ଓ ପତ୍ନୀ ଝରଣା ଆଉ ନାହାନ୍ତି ।
ମାହାଙ୍ଗା ଥାନା ଅଡମ ମହେଶପୁର ଗ୍ରାମରେ ଜନ୍ମ ନେଇଥିଲେ ପ୍ରଶାନ୍ତ ବିଶ୍ୱାଳ । ଇଂରାଜୀ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଭାବେ ଧର୍ମଶାଳା, ସୁଜନପୁର ଏବଂ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ଜଗତପୁର ଠାରେ ସେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ଜଣେ ଉଚ୍ଚ କୋଟିର କବି ଏବଂ ଲେଖକ ଭାବେ ତା’ଙ୍କର ସାରା ଓଡ଼ିଶାରେ ବେଶ ସୁନାମ ଥିଲା । ବ୍ରେନଷ୍ଟ୍ରୋକ ପରେ ପ୍ରଶାନ୍ତ ନୀରବି ଯାଇଥିଲେ । ସେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଭୋରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତା’ଙ୍କ ପାର୍ଥିବ ଶରୀରକୁ ଅଡମ ଗ୍ରାମ୍ୟ ସ୍ମଶାନରେ ଅନ୍ତିମ ସତ୍କାର କରାଯାଉଥିବା ବେଳେ,ପତ୍ନୀ ଝରଣା ବିଶ୍ୱାଳଙ୍କ ହଠାତ ଦେହାନ୍ତ ଘଟିବା ସମସ୍ତଙ୍କୁ ହତ ଚକିତ କରିଥିଲା । ସ୍ୱାମୀଙ୍କ ଯୁଇ ନଲିଭୁଣୁ ସ୍ତ୍ରୀ ଝରଣା ଚିର ନିଦ୍ରାରେ ଶୋଇଯାଇଥିଲେ । ଗୋଟିଏ ଯୁଇରେ ଦୁହିଁଙ୍କୁ ଶେଷ ବିଦାୟ ଦେଇଥିଲେ ବଂଧୁ ଓ ପରିବାର ଲୋକେ । ଗୋଟିଏ ପରିବାରରେ ଏକ ସମୟରେ ମୃତ୍ୟୁର ଚିରନ୍ତନ ସତ୍ୟକୁ ଅନୁଭବ କରିବା ଖୁବ ଯନ୍ତ୍ରଣା ଦାୟକ ଥିଲା ।
ଉଭୟ ପତି ପତ୍ନୀଙ୍କ ଅକାଳ ମୃତ୍ୟୁରେ ସାରା ମାହାଙ୍ଗାରେ ଶୋକର ଛାୟା ଖେଳି ଯାଇଛି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ହସ୍ପିଟାଲରୁ ପ୍ରଶାନ୍ତଙ୍କ ଶବ ଧରି ଅଡମ ଗାଁ’କୁ ଆସିଥିବା ବେଳେ, ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ଦୁହିଁଙ୍କ ପାଇଁ ଗଭୀର ଶୋକବ୍ୟକ୍ତ କରିବା ସହିତ ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ । ସାହିତ୍ୟିକ ଗୋବିନ୍ଦ ଭୂୟାଁ, କବି ନିରଞ୍ଜନ ଜେନା, କବି ଭକ୍ତ ଚରଣ ସାହୁ, କବି ତୁହିନାଂଶୁ ରଥ, କବି ବିମଳ ପତି, ଗାଳ୍ପିକ ଶରତ ସାହୁ, ସାହିତ୍ୟିକ ଅଖିଳେଶ ମହାନ୍ତି, କବି ପିନାକ ସିଂ, ଅଧ୍ୟାପକ ବିନୟ ସାମଲ, ଅଜୟ ଲେଙ୍କା, ତ୍ରିଲୋଚନ ରାଉତ, ମୃତ୍ୟୁଞ୍ଜୟ ବେହେରା, ଅରବିନ୍ଦ ମହାନ୍ତି,ପୂର୍ବତନ ସରପଞ୍ଚ ଅଜୟ ନାୟକ, ସରପଞ୍ଚ ରାଜକିଶୋର ବଳ, ସମିତିସଭ୍ୟ ସୁରେନ୍ଦ୍ର ମହାନ୍ତି, ପୂର୍ବତନ ସରପଞ୍ଚ ଧନେଶ୍ୱର ସେନାପତି,ସାମ୍ବାଦିକ ଦୀପକ ସାହୁ, ତାପସ ବିଶ୍ୱାଳ, ଅଜୟ ଜେନା, ଯଦୁନାଥ ନାୟକ, ମନୋରଞ୍ଜନ ବିଶ୍ୱାଳ, ମୃତ୍ୟୁଞ୍ଜୟ ବିଶ୍ୱାଳ, ଭାନୁ ଚରଣ ପରିଡା, ଶରତ ସାମଲ, ଅମରେନ୍ଦ୍ର ସିଂ,କବି ପ୍ରଶାନ୍ତ କର, ଡକ୍ଟର ଭୁବନାନ ସାହୁ,ଡକ୍ଟର ବସନ୍ତ କିଶୋର ସାହୁ,ଡକ୍ଟର ଯୁଧିଷ୍ଠିର ଖଟୁଆ, ଡକ୍ଟର ନିଖିଳେଶ ମହାନ୍ତି, ସାହିତ୍ୟିକ ଭାବଗ୍ରାହୀ ରାଉତ,ପ୍ରଶାସକ ଅନିଲ ସାମଲ, ଜୟନ୍ତ ଦାସ,ବିଚିତ୍ରାନନ୍ଦ ନାୟକ, ସୁନୀଲ ସେନାପତି, ବିଜୟ ବରାଳ, ହୃଷିକେଶ ବେହେରା, ବିଦ୍ୟାଧର ସେନାପତି, ରାହାସ ବିହାରୀ ବିଶ୍ୱାଳ, ଗିରିଶ ବିଶ୍ୱାଳ, ଅଜୟ ଜେନା, ସୁଶାନ୍ତ ବିଶ୍ୱାଳ, ଅମର ନାୟକ, ପ୍ରମୁଖ ପ୍ରଶାନ୍ତ-ଝରଣାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।
ପୁତ୍ର ସ୍ୱାଧୀନ ବିଶ୍ୱାଳ ବାପା ଓ ମାଆଙ୍କୁ ମୁଖାଗ୍ନି ଦେଇଥିଲେ । ଝିଅ ଶାନ୍ତଝରା ଓ ବଂଧୁ ପରିବାର ବର୍ଗ ଉପସ୍ଥିତ ଥିଲେ । “ଜୀବନ ଓ ସର୍ଜ୍ଜନା”, ଏବଂ “ଲାଇଫ ଆଜ ଇଟଇଜ”, ଭଳି ଅମୂଲ୍ୟ ପୁସ୍ତକ ପାଇଁ ପ୍ରଶାନ୍ତ ସାହିତ୍ୟ ଜଗତରେ ଚିର ବନ୍ଦନୀୟ ହୋଇ ରହିବେ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
