ଭୁବନେଶ୍ୱର,୦୭/୦୭/୨୦୨୫ (ଓଡ଼ିଶା ସମାଚାର)-ଅଖିଳ ଭାରତ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେମିନାକ୍ଷୀ ବାହିନୀପତିଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେସି ଭେଣୁ ଗୋପାଳ ଘୋଷଣା କରିଛନ୍ତି । ଶ୍ରୀମତୀ ବାହିନୀପତି ପୂର୍ବରୁ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବରେ କାର୍ଯ୍ୟକରିଥିଲେ ।
ଏତଦଭିନ୍ନ ସେ କୋରାପୁଟ ଜିଲା କଂଗ୍ରେସ କମିଟିର ସଭାପତି ଭାବରେ ୧୦ ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟକରିଥିଲେ । କୋରାପୁଟ ପୌରାଂଚଳର ଅଧ୍ୟକ୍ଷା ଭାବରେ ସେ ଦୁଇଥର ନିର୍ବାଚିତ ହୋଇଥିଲେ । ଏହି ନିଯୁକ୍ତି ପାଇଁ ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲ ଏବଂ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଅଳକା ଲାମ୍ବାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଅଖିଳ ଭାରତ କଂଗ୍ରେସ କମଟିର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶ, ଦର୍ଶନ ଓ ମହିଳାମାନଙ୍କ ପ୍ରତି ଥିବା ସେମାନଙ୍କର ପ୍ରତିବଦ୍ଧତାକୁ ଅନୁସରଣ କରି ଓଡ଼ିଶାରେ ମହିଳା ସଂଗଠନକୁ ସୁଦୃଢ଼ କରାଯିବା ସହ ନାରୀନ୍ୟାୟ ସଂଗ୍ରାମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀମତୀ ବାହିନୀପତି କହିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
