ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ପୋଷ୍ଟ କଲେ କଠୋର ହେବ ପୁଲିସ

ଭୁବନେଶ୍ୱର,୦୬/୦୭/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଏଣିକି ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ପୋଷ୍ଟ କଲେ ପୁଲିସ କଠୋର ହେବ । କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବ ନାହିଁ । ଅର୍ଥ ଲୋଭ ହେଉ ଅବା ରାତା ରାତି ଭାଇରାଲ ହେବା ଲୋଭରେ ଅନେକ ଅଶ୍ଲୀଳ ପୋଷ୍ଟ କରୁଛନ୍ତି । ୟୁଟ୍ୟୁବ୍ ଚ୍ୟାନେଲ୍ କରି ସେଥିରେ ଅଶ୍ଲୀଳ ପୋଷ୍ଟ ଅଧିକ ମାତ୍ରାରେ ପକାଉଛନ୍ତି । ଫଳରେ ଏହା ଖୁବ୍ ଶୀଘ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଆଶା ରହୁଛି । ମାତ୍ର ଏହି ପୋଷ୍ଟ ଦ୍ୱାରା ସମାଜ ଉପରେ କୁ ପ୍ରଭାବ ପଡୁଛି । ବିଶେଷ କରି ୟୁଟୁ୍ୟବ୍ ଦେଖୁଥିବା ଛୋଟ ଛୋଟ ପିଲାଙ୍କ ଉପରେ ଏହାର କୁ- ପ୍ରଭାବ ପଡ଼ୁଛି ।

ହେଲେ ଏବେ ଆଉ ତାହା ଚଳିବ ନାହିଁ । କାରଣ କମିଶନରେଟ୍ ପୁଲିସ ଏବେ ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ତେଣୁ ସୋସିଆଲ ମିଡିଆ ଉପରେ ସାଇବର ଥାନା ପୁଲିସ, ଏସ୍ଟିଏଫ ଏବଂ କ୍ରାଇମ୍ବ୍ରାଂଚ ନଜର ରଖିଛି । ଯେଉଁଠି ଅଶ୍ଲୀଳ କିମ୍ବା ଛୋଟ ପିଲାଙ୍କ ଉପରେ ପକାଉଥିବା ଭିଡ଼ିଓ, ଫଟୋ ଛଡାଯିବ, ତୁରନ୍ତ ସେମାନଙ୍କ ଆଇପି ଠିକଣା ଯାଂଚ କରାଯାଇ ଘରେ ପୁଲିସ ପହଂଚିବ । କମ୍ପ୍ରୁଟର ଜବତ କରିବା ସହ ଆଇଟି ଆକ୍ଟରେ ଗିରଫ କରିବା ସହ ଉକ୍ତ ଚ୍ୟାନେଲକୁ ବ୍ୟାନ୍ କରିବ । ଶୁକ୍ରବାର ବାଲେଶ୍ୱରରେ ମଧ୍ୟ ଅନ୍ ଟାଲେଂଟେଡ ଗାଏର ୟୁ-ଟୁ୍ୟବ୍ ଚ୍ୟାନେଲ ବ୍ୟାନ୍ କରିବା ପାଇଁ ଚିଠି ଲେଖାଯାଇଛି ।

ଗତ କିଛିଦିନ ହେବ ସୋସିଆଲ ମିଡ଼ିଆରେ ବିଭିନ୍ନ ଅଶ୍ଲୀଳ ଖବର ଅପଲୋଡ୍ କରୁଛନ୍ତି । କିନ୍ତୁ ଏବେ ପୁଲିସ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି । ଯେଉଁ ୟୁ୍ୟ- ଟୁବ୍ ଚ୍ୟାନେଲରେ ଏଭଳି ଅଶ୍ଲୀଳ କଂଟେନ୍ ଛଡାଯାଉଥିବ ତାହାକୁ ବନ୍ଦ କରିବାକୁ ପୁଲିସ ୟୁଟୁ୍ୟବ୍ ଅଫିସକୁ ଚିଠି ଲେଖିବ । ତାହା ନ ହେଲେ ପୁଲିସ ପରବର୍ତୀ କଡା ପଦକ୍ଷେପ ନେବ । କେବଳ ସେତିକି ନୁହେଁ, ଇନଷ୍ଟାଗ୍ରାମ୍, ଫେସ୍ବୁକ୍, ୟୁଟୁ୍ୟବ୍ ଆଦିରେ ଅଶ୍ଲୀଳ ଭିଡ଼ିଓ କିମ୍ବା ଫଟୋ ପୋଷ୍ଟ କରି ଭାଇରାଲ ହେବାକୁ ଚାହୁଁଛନ୍ତି । କିନ୍ତୁ ଏବେ କମିଶନରେଟ୍ ପୁଲିସ ବିଦେଶରୁ ଅତ୍ୟାଧୁନିକ ସଫ୍ଟୱେର ଆଣିବ । ଯାହାଫଳରେ ଏହି ସଫ୍ଟୱେର ସୋସିଆଲ ମିଡ଼ିଆରେ ଜାଲ ବିଛାଇ ରହିବ । ଯଦି କୌଣସି ଆଇପି ଠିକଣାରେ ଅଶ୍ଲୀଳ ଭିଡ଼ିଓ କିମ୍ବା ଫଟୋ ପୋଷ୍ଟ କରାଯିବ ତୁରନ୍ତ ଏହି ସଫ୍ଟୱେର ପୁଲିସକୁ ସୂଚନା ଦେବ ।

କେଉଁ ଜାଗା ଏବଂ କାହା ନାମରେ ଆଇପି ଆଡ୍ରେସ୍ ଅଛି ତାହାର ପୂରା ବିବରଣୀ ପୁଲିସକୁ ଦେବ । ଯାହାଦ୍ୱାରା ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରି ଗିରଫ କରିବ । ପୂର୍ବରୁ ଓଡ଼ିଶାରୁ ବାଲେଶ୍ୱର, ଢେଙ୍କାନାଳ ଏବଂ ଭଦ୍ରକରୁ କିଛି ଯୁବକ ଶିଶୁଙ୍କ ଅଶ୍ଲୀଳ ଭିଡ଼ିଓ ବିଦେଶୀ ପର୍ଣ୍ଣସାଇଟ୍ ରେ ବିକ୍ରି କରି ଟଙ୍କା ରୋଜଜଗାର କରୁଥିଲେ । ଫଳରେ ସିବିଆଇ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା । ହେଲେ ଏବେ ଯଦି କେହି ଶିଶୁଙ୍କ ଭିଡ଼ିଓ, ଫଟୋ ପର୍ଣ୍ଣସାଇଟ୍ କୁ ବିକ୍ରି କରନ୍ତି ତେବେ ଟପ୍ ଲାଇନ୍ ଦ୍ୱାରା ପୁଲିସ ଧରିବ । କାରଣ ଏଠାରୁ ଯାଉଥିବା ଭିଡ଼ିଓର ରିପୋର୍ଟ ଟପ୍ ଲାଇନ୍ ପୁଲିସକୁ ଦେଇହେବ । ଫଳରେ ପୁଲିସ ମାମଲା କରି ଅଭିଯୁକ୍ତକୁ ଆଇଟି ଆକ୍ଟ, ପୋକସୋ ଆକ୍ଟରେ ଗିରଫ କରିବ । ଏନସିଆରବି ରିପୋର୍ଟ ଅନୁସାରେ ଶିଶୁଙ୍କ ଅଶ୍ଲୀଳ ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡିବା ନେଇ ୨୦୨୧ରେ ୭୧ ମାମଲା ହୋଇଥିଲା । ସେହି ଅନୁଯାୟୀ ଏଣିକି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *