ତୁଳସୀକ୍ଷେତ୍ର କଳାକାର ସଂଘ ଜିଲା ସ୍ତରୀୟ ମହୋତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୫(ଓଡ଼ିଶା ସମାଚାର)- ତୁଳସୀକ୍ଷେତ୍ର କଳାକାର ସଂଘର ଜିଲା ସ୍ତରୀୟ ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଂଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ରାଜସ୍ୱ କମିଶନର ଶୋଭନ କର ମୁଖ୍ୟଅତିଥି ଭାବେ ଯୋଗଦେଇ କଳାକାରଙ୍କ ସମାଜ ଗଠନରେ ମୁଖ୍ୟ ଭୂମିକା ରହିଥାଏ । କାରଣ କଳାକାରଙ୍କ ଅଭିନୟର ପ୍ରଭାବ ପ୍ରତ୍ୟେକ ମାନବ ଉପରେ ପଡିଥାଏ । କଳାକାରଙ୍କୁ ଆମ ସମାଜ ଉଚିତ ସମ୍ମାନ ପ୍ରଦାନ କରିବା ଆବଶ୍ୟକ ବୋଲି ଶ୍ରୀ କର ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଉତ୍ସବ ଚରଣ ମହାପାତ୍ର, ସମାଜସେବୀ ଦେବେନ୍ଦ୍ର କୁମାର ଦାସ, ସମବାୟବୀତ ପ୍ରଫୁଲ୍ଲ କୁମାର ରାଉତ(ନଙ୍ଗୁଳି) ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜିଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୫୫ଟି ସାଂସ୍କୃତିକ ଦଳ ଭଜନ, ଜଣାଣ, ସଂକୀର୍ତନ, ଘୋଡାନାଚ, କେନ୍ଦରାଗୀତ, ଖଞ୍ଜଣୀ ଭଜନ, ସଖୀନାଟ, ଓଡିଶୀନୃତ୍ୟ, ଏକତାରା ଭଜନ, ଦାସକାଠିଆ, ଓଡିଶୀ ନୃତ୍ୟ ବିଦ୍ୟା, ଭଜନ ସନ୍ଧ୍ୟା ଓ ପାଲା ପ୍ରଭୃତି ପରିବେଷଣ କରିଥିଲେ । ସେମାନଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକାରୀ ସଭାପତି ଗଗନବିହାରୀ ସିଂହ ମହୋତ୍ସବର ଉଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ ବିବରଣୀ ପାଠ ଓ କୋଷାଧ୍ୟକ୍ଷ ସତ୍ୟନାରାୟଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଉପସଭାପତି ସବିତା ବରଜ, ସାଂସ୍କୃତିକ ସମ୍ପାଦକ ବାବାଜି ପଟ୍ଟନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଦେବେନ୍ଦ୍ର କୁମାର ଦାସ, ପ୍ରଫୁଲ୍ଲ ଦାସ, ସଂସ୍କୃତି ଉପଦେଷ୍ଟା ମହେଶ ପାଢୀଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ଓ ସଭ୍ୟସଭ୍ୟାମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *