କେନ୍ଦ୍ରାପଡ଼ା, ୦୮/୦୧/୨୦୨୪ (ଓଡ଼ିଶା ସମାଚାର)- “ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା”ର ଜିଲାସ୍ତରୀୟ କ୍ରୀଡ଼ା ଉତ୍ସବ ଆଜିଠାରୁ କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆ (ମିନି ଷ୍ଟାଡିୟମ୍)ରେ ଆୟୋଜିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ । ୫ଦିନ ବ୍ୟାପୀ ଅର୍ଥାତ୍ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏଠାରେ ଉଭୟ ପୁରୁଷ ଓ ମହିଳା ବର୍ଗର ଖେଳାଳୀମାନେ ସେମାନଙ୍କ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ । ଫୁଟବଲ୍, ଭଲିବଲ୍, ଖୋଖୋ, କବାଡ଼ି ଓ କ୍ରିକେଟ୍ ଖେଳରେ ବ୍ଲକ୍ ସ୍ତରରୁ ପ୍ରଦର୍ଶନ ଆଧାରରେ ମନୋନୀତ ହୋଇଥିବା ଦଳମାନେ ଏଠି ଖେଳିବାର ସୁଯୋଗ ପାଇଛନ୍ତି । ସେହିପରି ଏମାନଙ୍କ ମଧ୍ୟରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିବ ସେହି ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇବେ । ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳମାନଙ୍କୁ ଆସନ୍ତା ୨୪ ତାରିଖରେ ବର୍ଣ୍ଣାଢ଼୍ୟ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି । ଉତ୍ସବରେ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିବା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା । ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଜିଲାର ସମସ୍ତ ୯ଟି ବ୍ଲକ୍ ରୁ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ଯୁବଶକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରାପଡ଼ା ଓ ମହାକାଳପଡ଼ା ଟିମ୍ ମଧ୍ୟରେ ପ୍ରଥମ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ପରିଚାଳନା କରିଥିଲେ ମୀର୍ଜା ସଲିମ୍ ବେଗ୍, ଶରତ କୁମାର ଜେନା, ଅମର କୁମାର ଜେନା, ଗୋଲକ ବିହାରୀ ମଲ୍ଲିକ ଓ ଇନ୍ଦୁପୁର ବିରୂପା କଲେଜ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ପ୍ରମୁଖ । ଏହି ଉତ୍ସବରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ ଆଥିଲେଟିକ୍ ଆସୋସିଏସନ୍ ର କର୍ମକର୍ତା, ବିଭିନ୍ନ ସ୍କୁଲର କ୍ରୀଡ଼ା ଶିକ୍ଷକ, ଜିଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରତିଯୋଗିତା ଚାଲିଥିବା ବେଳେ ଅଂଶଗ୍ରହଣକାରୀ ଖେଳାଳିମାନଙ୍କ ପାଇଁ ପିଇବା ପାଣିର ଘୋର ଅଭାବ ପରିଲିଖିତ ହେଉଥିବା ଦେଖିବାକୁ ମିଳିଥିଲା ।