ନାବାଳକ ଗାଡ଼ିଚାଳନା ନିଷେଧ ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ
କଟକ,୦୧/୦୭/୨୦୨୫(ଓଡ଼ିଶା ସମାଚାର)- କଟକ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ସୋମବାର ଅପରାହ୍ନରେ ଜିଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଦତାତ୍ରୟ ଭାଉସାହେବ ସିିନ୍ଦେ ଅଧ୍ୟକ୍ଷତା କରି ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଅନୁପାଳନ ଉପରେ ବିବୃତିି ରଖିବାକୁ କହିବା ସହ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟଗୁଡ଼ିକ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଜାତୀୟ ରାଜପଥ ଉପରେ ବେଆଇନ ଭାବେ ପାର୍କିଂ କରୁଥିବା ଭାରିଯାନର ଅପସାରଣ ନିମନ୍ତେ ଜାତୀୟ ରାଜପଥ କର୍ତୃପକ୍ଷ ଦିବାରାତ୍ର କାର୍ଯ୍ୟକରୁଥିବା ବେଳେ ଅମାନ୍ୟ କରୁଥିବା ଭାରିଯାନଗୁଡ଼ିକୁ ଜୋରିମାନା ନିମନ୍ତେ ଆଂଚଳିକ ପରିବହନ ଅଧିକାରୀଙ୍କୁ ଏହାର ଫୋଟୋ ପ୍ରେରଣ ନିମନ୍ତେ କୁହାଯାଇଥିଲା ।
ବାରଙ୍ଗ ନିକଟବର୍ତୀ ରାସ୍ତା ଉପରେ ବାଲି ପରିବହନ ଯୋଗୁ ଜମି ରହୁଥିବା ବାଲିକୁ ପର୍ଯ୍ୟାୟକ୍ରମେ ନିର୍ଦ୍ଧିଷ୍ଟ କରାଯାଇଥିବା ଅଂଚଳ ସଫା କରିବା ନିମନ୍ତେ ଘାଟ ନିଲାମକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଜିଲାପାଳ ପ୍ରକାଶ କରିଥିଲେ । କଟକ ମହାନଗର ନିଗମ ତଥା ଏହାକୁ ସଂଯୋଗ କରୁଥିବା ରାସ୍ତା ଏବଂ ଛକଗୁଡ଼ିକର ଟ୍ରାଫିକ୍ ଲାଇଟ୍ କୁ କାର୍ଯ୍ୟକ୍ଷମ ସୁନିଶ୍ଚିନ୍ତ କରିବା ନିମନ୍ତେ ସହକାରୀ ପୁଲିସ ଆୟୁକ୍ତ (ଟ୍ରାଫିକ)ଙ୍କୁ ଅନୁରୋଧ କରାଯିବା ସହ ହାଉଡ଼ାମୋଟର ଛକରୁ ପ୍ରମୋଦ ହୋଟେଲ ଏବଂ ରାମ ମନ୍ଦିର ରାସ୍ତା ଅଂଚଳରେ ରାସ୍ତା ଉପରେ ବେଆଇନ ପାର୍କିଂ ହଟାଇବା ନିମନ୍ତେ ଉପଯୁକ୍ତ ପାର୍କିଂ ସ୍ଥାନ ଚିହ୍ନଟ କରି କମିଟିକୁ ଜଣାଇବା ନିମନ୍ତେ ଅନୁରୋଧ କରାଯାଇଥିଲା ।
ପେଟାନାଳ ନିକଟ ରାସ୍ତା ଉପରୁ ପରିବା ଓ ମାଛ ବିକ୍ରେତାଙ୍କୁ ଅପସାରଣ କରିବା ନିମନ୍ତେ ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ରାସ୍ତାକଡ଼ ବିଦ୍ୟାଳୟଗୁଡ଼ିକର ରାସ୍ତାପଟୁ ଥିବା ପ୍ରବେଶ ଦ୍ୱାରର ସ୍ଥାନ ପରିବର୍ତନ କରାଯିବା ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଗ୍ରାମାଂଚଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ବେଆଇନ ଭାବେ ମଦ ବିକ୍ରୟ କରୁଥିବା ରାସ୍ତାକଡ଼ ହୋଟେଲ ଉପରେ ଚଢ଼ଉ ପାଇଁ ଭାରପ୍ରାପ୍ତ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ବିଭିନ୍ନ କୋଚିଙ୍ଗ ତଥା ଅନ୍ୟ ଅନୁଷ୍ଠାନମାନଙ୍କରେ ନାବାଳକ ଗାଡ଼ି ଚାଳନା ନିଷେଧ ଉପରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ କଟକ ଜିଲା ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତା ଭାଗନେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ସୁଚିନ୍ତିତ ମତାମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସାଧାରଣ ଶିବ ଟପ୍ପୋ, ଅତିରିକ୍ତ ଜିଲାପାଳ ଉନ୍ନୟନ ଡଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
