ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ରେ ଯୁବକଙ୍କ ମୃତ୍ୟୁ

ଅଭିଯୁକ୍ତ ଙ୍କ ଗିରଫ ଦାବି କରି ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଲେ ପରିବାର
କେନ୍ଦ୍ରାପଡ଼ା,୧୯/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ନିକିରାଇ ଥାନା ଅନ୍ତର୍ଗତ ନହଙ୍ଗ ଗ୍ରାମପଂଚାୟତର ଜଗନ୍ନାଥପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ହତ୍ୟାର ଶିକାର ଯୁବକଙ୍କ ନାମ ହେଉଛି ନୃସିଂହ ସେଠୀ । ନୃସିଂହଙ୍କୁ ସଂଘବଦ୍ଧ ଭାବେ ଲୁହା ରଡ ଓ କାଠ ଫାଳିଆରେ ଆକ୍ରମଣ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟା ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । ନୃସିଂହଙ୍କ ପରିବାର ଲୋକେ ନିକିରାଇ ଥାନା ସମ୍ମୁଖରେ ମୃତଦେହ ରଖି ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।

ପୋଲିସ ଜଗନ୍ନାଥପୁର ଗ୍ରାମରେ ଚଢଉ କରି ୮/୧୦ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣା ପରେ ଜଗନ୍ନାଥପୁର ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି । ନୃସିଂହଙ୍କ ପତ୍ନୀ ଉର୍ମିଳା ଏତଲାରେ ଦର୍ଶାଇଛନ୍ତି ତାଙ୍କ ସ୍ୱାମୀ ବଜାରରୁ ଘରକୁ ଫେରିବା ସମୟରେ ସେହି ଗ୍ରାମର ନିରଞ୍ଜନ ସେଠୀ, ଲିପୁନା ସେଠୀ, ଭିକାରୀ ସେଠୀ, କ୍ଷୀରୋଦ ସେଠୀ, ମେଘନାଦ ସେଠୀ ପ୍ରମୁଖ ଲୁହା ରଡ ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ ।

ଏହାପରେ ମାନସୀ ସେଠୀ, ଦିପ୍ତିମୟୀ ସେଠୀ, କବିତା ସେଠୀ, ଅନିତା ସେଠୀ, ସକୁନ୍ତଳା ସେଠୀ, ଅରୁଣୀବାଳା ସେଠୀ, ବିଜୁଳି ସେଠୀ, ସୁଷମା ସେଠୀ ପ୍ରମୁଖ ତାଙ୍କ ଉପରେ ଲଙ୍କାଗୁଣ୍ଡ ପାଣି ଢାଳିଥିଲେ ।

ଫଳରେ ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ଘଟିଛି । ମୃତୁ୍ୟ ଘଟିବା ପରେ ପରିବାର ଲୋକେ ନୃସିଂହଙ୍କ ଶବକୁ ଥାନା ସମ୍ମୁଖକୁ ଆଣି ଧାରଣା ଦେଇଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।

ଏ ସଂକ୍ରାନ୍ତରେ ନିକିରାଇ ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନୃସିଂହଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଫଳରେ ତାଙ୍କର ମୃତୁ୍ୟ ଘଟିଛି । ଏ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଏକ ହତ୍ୟା ମମାଲା ରୁଜୁ ହୋଇ ତଦନ୍ତ ଚାଲିଛି । ଆମେ ସନ୍ଦେହରେ କେତେକ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛୁ । ଏଥିରେ ଯେଉଁମାନେ ଅଭିଯୁକ୍ତ ବୋଲି ପ୍ରମାଣ ମିଳିବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *