ଏସିଡ୍ ଆକ୍ରମଣ ରୋକିବା ବିଷୟରେ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର,୨୫/୦୬/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ପୌରପରିଷଦସ୍ଥିତ ପୁରୋହିତପୁର ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଲସା ଯୋଜନା ଅନୁଯାୟୀ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଦିଆଯାଉଥିବା ଆଇନ୍ ସହାୟତା, ଦଣ୍ଡବିଧାନ ଆଇନ୍ ଏବଂ ଓଡ଼ିଶା ପିଡ଼ିତା କ୍ଷତି ପୂରଣ ଯୋଜନା ସମ୍ପର୍କରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ପ୍ରାଧିକରଣ ସଚିବଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ସ୍ଵାଗତ ଭାଷଣ ଦେଇଥିଲେ । ପ୍ରାଧିକରଣ ସଚିବ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋଚନା କରିବା ସହ ଏସିଡ୍ ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ଆଇନଗତ ବ୍ୟବସ୍ଥା, ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିଆଯାଉଥିବା ଆଇନଗତ ସହାୟତା ଏବଂ ଓଡିଶା ପୀଡ଼ିତା କ୍ଷତିପୂରଣ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ ।

ତତ୍ ସହିତ ଏସିଡ୍ ଆକ୍ରମଣ ର ଶିକାର ହୋଇଥିବା ବ୍ୟକ୍ତି କିପରି ମାଗଣାରେ ଚିକିତ୍ସା ପାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ଏହି ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *