ଭୁବନେଶ୍ୱର, ୨୦/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥ(୭୮) ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
‘ଏକ୍ସ’ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକବାର୍ତ୍ତା ପ୍ରକାଶ ପାଇଛି, ଯେଉଁଥିରେ ଲେଖାହୋଇଛି – ବିଶିଷ୍ଟ ସମାଜସେବୀ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ସେ ଜଣେ ସରଳ, ସମର୍ପିତ ଓ ସମାଜମନସ୍କ ବ୍ୟକ୍ତି ଥିଲେ ।
ଦୈନିକ ‘ସମାଜ’ ଖବରକାଗଜର ସମ୍ପାଦକ ଓ ପ୍ରକାଶକ ତଥା ‘ସମାଜ’ ରିଲିଫ କମିଟିର ମୁଖ୍ୟ ଭାବରେ ଓଡ଼ିଶାର ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କର ବିୟୋଗ ସାମ୍ବାଦିକତା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି । ମହାପ୍ରଭୁଙ୍କ ଚରଣରେ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
