ରାତି ଅଧରେ ହାତୀ ଭାଙ୍ଗିଲା ଘର

ଖଜୁରିଆକଟା, ୧୩ /୦୬/୨୦୨୫ (ଓଡ଼ିଶା ସମାଚାର)-  ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଘଟିଛି ଅଭାବନୀୟ ଘଟଣା। ସୂଚନା ଅନୁଯାଇ ରାତି ଅଧରେ (ପ୍ରାୟ ରାତି ୨ଟା ସମୟରେ) ଦନ୍ତାହାତୀ ହିନ୍ଦୋଳ ବ୍ଲକ କୁକୁଟା ପଂଚାୟତର ବସଲା ଗ୍ରାମର ବିଧବା ଶ୍ରମିକଙ୍କ ଘରେ ପଶି ଇଟାପଚି କାନ୍ଥର ତିନିବଖରା ଘର ଭାଙ୍ଗି ଦେବାସହ ଆସବାବପତ୍ର ନଷ୍ଟ କରିଦେଇ ଧାନ ଚାଉଳ ଇତ୍ୟାଦି ଖାଇ ଦେଇ ଜଙ୍ଗଲକୁ ପଳାଇଯାଇଛି। ଖବର ପାଇ ବନ କର୍ମଚାରୀ ଓ ଗଜସାଥୀ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ହାତୀ ଘଉଡ଼େଇବା ପାଇଁ ଉଦ୍ୟମ କରିଛନ୍ତି।

ତେବେ ଘର ସବୁ ନଷ୍ଟ ହୋଇଯିବା ଫଳରେ ବାହାରେ ଶ୍ରମିକ କାମ କରୁଥିବା ପୁଅଝିଅଙ୍କ ସହିତ ସମ୍ପୃକ୍ତ ମହିଳା ବେସାହାରା ହୋଇଯାଇଛନ୍ତି। ମୁଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ମହିଳା ଜଣକ ପୁଣିଥରେ ଗୃହଟି ନିର୍ମାଣ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ଥିବାରୁ ତୁରନ୍ତ ବନବିଭାଗ ଓ ରାଜସ୍ବବିଭାଗ ନିରୀକ୍ଷକ ସରଜମିନ ତଦନ୍ତ କରି ମହିଳାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାସହ ତାଙ୍କ ପାଇଁ ଏକ ନୂତନଗୃହ ନିର୍ମାଣ କରାଇଦେବାକୁ ମହିଳାଙ୍କ ସମେତ ଅଞ୍ଚଳବାସି ଦାବି କରିଛନ୍ତି ଏବଂ ସ୍ଥାନୀୟ ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *