ଆର ଉଦୟଗିରି,୦୯/୦୮/୨୦୨୫(ଓଡ଼ିଶା ସମାଚାର)- ଗୁଣି ସନ୍ଦେହରେ ଯୁବକକୁ ହତ୍ୟା । ଏଭଳି ଅଭିଯୋଗ ଆସିଛି ଗଜପତି ଜିଲା ମୋହନା ଥାନା କୁସୁମପୁର ଗାଁରୁ । ଜିରାଙ୍ଗ ପଂଚାୟତ କମଳାପୁର ଗାଁର କରୁଣାକର ଦଳାଇ ଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଛନ୍ତି, କରୁଣାକର ପାଖା ପାଖି ୮ ମାସ ହେବ କୁସୁମପୁର ଗାଁ ରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । କିଛି ଦିନ ତଳେ କୁସୁମପୁର ଗାଁର ନିରଞ୍ଜନ ମଳିକଙ୍କ ୧୧ ବର୍ଷ ର ନାବାଳକ ପୁଅକୁ କୁକୁର କାମୁଡିବାରୁ କରୁଣାକର ନାବାଳକ ଜଣକୁ ଚେର ମୂଳିକା ଔଷଧ ଦେଇଥିଲେ ପରବର୍ତୀ ସମୟରେ ନାବାଳକ ଜଣକର ମୃତ୍ୟୁ ହୋଇଥିଲା ।
ଏଥିପାଇଁ ଗାଁ ଲୋକେ କରୁଣାକରକୁ ଦାୟୀ କରିବା ସହ ସେ ହିଁ ଗୁଣି କରି ନାବାଳକ ଜଣକୁ ମାରିଦେଇଥିବା ସନ୍ଦେହ କରୁଥିଲେ । ଯାହାକୁ ନେଇ ଗତ ଜୁଲାଇ ୨୮ ତାରିଖରେ କିଛି ଗାଁ ଲୋକେ କରୁଣାକର ରହୁଥିବା ଗାଁ ପାଖ କୁଡ଼ିଆ ରୁ ତାଙ୍କୁ ଉଠାଇ ଆଣି ଗ୍ରାମ ଅଙ୍ଗନାୱାଡି କେନ୍ଦ୍ରରେ କରୁଣାକରଙ୍କୁ ଦୁଇ ଦିନ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ । ପ୍ରବଳ ମାଡ଼ ମାରି କରୁଣାକରଙ୍କୁ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ ।
ଏନେଇ ମୃତ କରୁଣାକରଙ୍କ ଭାଉଜ ସବିତା ମଳିକ ମୋହନା ଥାନାରେ ଲିଖିତ ଅଭିଯୋଗ ପରେ ମୋହନା ପୋଲିସ ସାଇଂଟିଫିକ ଟିମ୍ ସହାୟତାରେ ମାଜିଷ୍ଟ୍ରେଟ ତଥା ମୋହନା ତହସିଲଦାର ଚକ୍ରଧର ପାଢ଼ୀଙ୍କ ଉପସ୍ଥିତି ରେ ମୃତ ଦେହ ପୋତା ଯାଇଥିବା ସ୍ଥାନରୁ ମୃତ ଦେହ ଉଦ୍ଧାର କରିଛି । ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପଠାଯାଇଥିବା ବେଳେ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ୯ ଜଣ ବ୍ୟକ୍ତି ଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି ।
