ଭୁବନେଶ୍ୱର,୧୩ /୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ନାଟକ କାର୍ଯ୍ୟକ୍ରମ, ଭଞ୍ଜକଳା ମଣ୍ଡପ ଠାରେ କିମ୍ବଦନ୍ତୀ ସଙ୍ଗୀତଜ୍ଞମାନଙ୍କୁ ସମର୍ପିତ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଏବଂ ଜୟଦେବ ଭବନ ଠାରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଏହିସବୁ କାର୍ଯ୍ୟକ୍ରମ ଆସନ୍ତା ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଗୁରୁବାର ସନ୍ଧ୍ୟାରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଧାରିତ ନାଟକ ପ୍ରଦର୍ଶିତ ହୋଇଥିଲା। ନାଟ୍ୟକାର ଶ୍ରୀ ପଞ୍ଚାନନ ଦାଶ ନାଟକ ରଚନା କରିଥିବାବେଳେ ଶ୍ରୀ ଅତୀଶ କୁମାର ଶତପଥୀ ନିର୍ଦ୍ଦେଶନା ଦେଇଥିଲେ। ସେହିପରି ଭାବେ କିମ୍ବଦନ୍ତୀ ସଙ୍ଗୀତଜ୍ଞ ନିମାଇଁ ଚରଣ ହରିଚନ୍ଦନ ଏବଂ ଭିକାରୀ ଚରଣ ବଳଙ୍କ ସଙ୍ଗୀତକୁ ନେଇ ଭଞ୍ଜକଳା ମଣ୍ଡପରେ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜୟଦେବ ଭବନରେ ଭକ୍ତ ସାଲବେଗ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
-0-
ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ